ଆଜିଠୁ ଜଗା ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଆଜିଠୁ ଜଗା ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ। ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ତିନି ପର୍ଯ୍ୟାୟରେ କରିବେ ଦର୍ଶନ। ୩, ୬, ୧୧, ୧୨, ୧୪, ୧୫ ଓ ୧୮ ନମ୍ବର ୱାର୍ଡ ବାସିନ୍ଦା ଆଜି ଦର୍ଶନ କରିବେ। ଟୋକନ ଓ ପରିଚୟ ପତ୍ର ଦେଖାଇ ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ।
ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତର, ସିଂହଦ୍ୱାର ଏବଂ କିଓସ୍କ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩ଟି ସେକ୍ଟର କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭକ୍ତ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। ସେହିଭଳି ମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି।
ସେହିପରି ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ବାହାର ଜିଲ୍ଲାର ଲୋକେ ଶବ ସତ୍କାର କରିପାରିବେ। ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣ ପ୍ରବେଶ କରିପାରିବେ। ପୂର୍ବରୁ କରୋନା ଲାଗି ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା। ତେବେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି।