ଭାରତୀୟ ହକି ଖେଳାଳିଙ୍କ ସହ ଫଟୋସୁଟ୍ କଲେ ନବୀନ

ଭୁବନେଶ୍ବର: ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଫଟୋସୁଟ୍। ସୋସିଆଲ ମିଡିଆରେ ଏବେ ଏହି ସବୁ ଭାଇରାଲ ହେବାରେ ଲାଗିଛି।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ନିର୍ଦ୍ଧାରିତ ସମୟ ମୁତାବିକ କ୍ରୀଡ଼ାବିତମାନେ ପୂର୍ବାହ୍ନ ୧୧ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ଅପରାହ୍ଣ ୩ଟାରେ ଉଭୟ ଦଳର କ୍ରୀଡ଼ାବିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ନିଜ ମନର କଥା ପ୍ରକାଶ କରିଥିଲେ।
ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯାଇ ଖେଳାଳି ମାନେ ଫଟୋସୁଟ୍ କରିଥିଲେ। ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ ଫଟୋ ସେସନରେ ମଧ୍ୟ ସାମିଲ ହୋଇଥିଲେ। ସନ୍ଧ୍ୟା ୬ଟା୩୦ ମିନିଟ୍ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା। ମହିଳା ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା।