ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଟିମ୍
![](https://www.odishalink.com/wp-content/uploads/2021/08/output-onlinejpgtools37.jpg)
ଭୁବନେଶ୍ବର: ଭୁବନେଶ୍ବର ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ହକି ଖେଳାଳି। ବିମାନବନ୍ଦର ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯାଇଛି। ବିମାନବନ୍ଦରରୁ ନେଇ ହୋଟେଲ ସ୍ୟାଣ୍ଡି ଟାୱାର ପର୍ଯ୍ୟନ୍ତ ବାଦ୍ୟର ତାଳେତାଳେ ସେମାନଙ୍କୁ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ଦୁଇଟି ବସରେ ହକି ଟିମ ହୋଟେଲକୁ ଯାଇଛନ୍ତି। ହୋଟେଲରେ ହକି ଖେଳାଳିଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପାରମ୍ପରିକ ସ୍ୱାଗତ ସମ୍ବର୍ଦ୍ଧନା ପରେ ଖେଳାଳିମାନଙ୍କୁ ବିଶାଳ ପଟୁଆରରେ ହୋଟେଲକୁ ନିଆଯିବ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସିଥିବା ଜଣାପଡ଼ିଛି। ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରେ ଗଣମାଧ୍ୟମ ସହ ଚର୍ଚ୍ଚା କରିବେ ଖେଳାଳୀ। ଏହା ପରେ କଳିଙ୍ଗ ଷ୍ଟାଡିୟମ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନରେ ଯୋଗଦେବେ। ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ।
ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ। ମହିଳା ହକି ଦଳ ମଧ୍ୟ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଂଜ ମେଡାଲ ମ୍ୟାଚରେ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ହୃଦୟ ଜିତିଥିଲେ ମହିଳା ହକି ଖେଳାଳି। ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବାବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି।