ରାଜ୍ୟରେ କରୋନା ନେଲା ଆଉ ୬୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୫ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୭ଜଣ, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି। ଭଦ୍ରକ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୨ଜଣ ରହିଛନ୍ତି । ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା , କୋରାପୁଟ , ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୭୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୫୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୦୪୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୭୨୦୮୨୪୮ ସାମ୍ପୁଲ ଟେଷ୍ଟ୍ ହୋଇଛି।