ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ ବୈଷ୍ଣବ
![](https://www.odishalink.com/wp-content/uploads/2021/08/Capture-17.jpg)
ନୂଆଦିଲ୍ଲୀ: ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ ବୈଷ୍ଣବ। ଦେଶର ନୂଆ ଶିକ୍ଷାମନ୍ତ୍ରୀ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଓଡ଼ିଶା ଆସୁଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ପରିଦର୍ଶନ କରିବେ। ରାଜ୍ୟର ସାମାଜିକ, ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ଐତିହ ବନ ବିଦ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ବିଚାରଧାରାର ସ୍ମୃତିଚାରଣ କରିବେ।ଅଶ୍ବିନୀ ବୈଷ୍ଣବ ମଧ୍ୟ ବକୁଳ ବନ ପରିଦର୍ଶନରେ ଯିବେ।
ଏଥିସହ ରେଳ ମନ୍ତ୍ରାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୨୨ରେ କେନ୍ଦ୍ର ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି।
୨୮ ବର୍ଷରେ ବଲାଙ୍ଗୀରଠାରୁ ବିଛୁପାଲି ମାତ୍ର ୧୬ କିଲୋମିଟର ରେଳ ଗଡିଛି। ସେହିପରି ଖୋର୍ଦ୍ଧା ରୋଡରୁ ନୟାଗଡକୁ ମାତ୍ର ୬୫ କିଲୋମିଟର ରେଳ ଚଳାଚଳ କରୁଛି। ଆଗକୁ ସୋନପୁର ଓ ବୌଦ୍ଧ ଜିଲ୍ଲା ଯାଏ କାମ ତ୍ବରାନ୍ବିତ ପାଇଁ ଦାବି ହୋଇଥିଲେ ବି ଏଯାଏ ଆରମ୍ଭ ହୋଇପାରନି।