ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ନୂଆ ନର୍ସ
![](https://www.odishalink.com/wp-content/uploads/2021/08/Nurse-750x430.jpg)
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସ୍ରେ ସ୍ବାସ୍ଥ୍ୟସେବା। ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଆହୁରି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସର୍ବଦା ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୧୧ ହଜାର ୬ଟି ନୂଆ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି।
ଏହି ପଦବିଗୁଡ଼ିକ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହି ନୂଆ ପଦବିଗୁଡ଼ିକ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭୪ ପଦବି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୪୦୦ ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୨୬୫୯ଟି ପଦବି ସୃଷ୍ଟି କରାଯାଇଛି ।
ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮,୯୩୩ ଟି ପଦବି ସୃଷ୍ଟି କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବି ସୃଷ୍ଟି କରାଯାଇଛି । ଓଡ଼ିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବି ପୂରଣ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।