ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ବାଣ୍ଟିବେ ସ୍ମାର୍ଟ ହେଲ୍ଥ୍ କାର୍ଡ
![](https://www.odishalink.com/wp-content/uploads/2021/01/naveen-11.jpg)
ମାଲକାନଗିରି: କରୋନା କାଳରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୧ଟା ୩୦ ମିନିଟରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଜିଲ୍ଲା ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନେ ଜିଲ୍ଲାରେ ଡେରା ପକାଇ ଅଣ୍ଟା ଭିଡ଼ି ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ହୋଇଉଠିଛି ମାଲକାନଗିରି। ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂରା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଆଜି ମକ୍ ଡ୍ରିଲ୍ କରାଯାଇଛି। ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଚେକିଂ କରାଯାଉଛି। ଜିଲ୍ଲାର ଆନ୍ଧ୍ର,ଛତିଶଗଡ଼ ସୀମାକୁ ସିଲ୍ କରି ଦିଆଯାଇଛି। ସଭାସ୍ଥଳ ଜିଲ୍ଲା ସଂସ୍କୃତି ଭବନଠାରେ ପୁଲିସ୍ କଡ଼ା ପହରା ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ମାଳମାଳ ନେତା, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଦୁଇ ଦିନ ହେଲା ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଯବାନମାନେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଛାଇଯାଇଛି। ଏହାସହ ଉକ୍ତ ଭବନ ପରିସରରେ ସାଜସଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏଥିପାଇଁ ସମସ୍ତ ସରାକରୀ କଳକୁ ମଧ୍ୟ ଲଗାଯାଇଛି। ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରାଯାଇଛି।