ଦାନବେଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀ ହେଉଛନ୍ତି ବୁଲା ଷଣ୍ଢ ପରି…
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଥିବା ରାଓସାହେବ ଦାନବେଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ। ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ବୁଲା ଷଣ୍ଢ ସହିତ ତୁଳନା କରି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦାନବେଙ୍କ ବିବାଦୀୟ ଭାଷଣକୁ ଅଭଦ୍ରାମି କହି କଂଗ୍ରେସ ଦଳ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଇବାକୁ ଦାବି କରିଛି।
ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ଜନ-ଆଶୀର୍ବାଦ ଯାତ୍ରାରେ ସମ୍ବୋଧିତ କରିବା ବେଳେ ଦାନବେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କାହାରି ପାଇଁ କୌଣସି ଲାଭ କରିପାରିବେ ନାହିଁ। ସେ କାହାର କାମରେ ଆସିପାରିବେ ନାହିଁ। ସେ ଭଗବାନଙ୍କୁ ଉତ୍ସର୍ଗୀକୃତ ଷଣ୍ଢ ପରି। ସେ ସବୁଆଡେ ବୁଲନ୍ତି, କିନ୍ତୁ କାହାର କାମରେ ଆସିପାରିବେ ନାହିଁ। ମୁଁ ୨୦ ବର୍ଷ ଧରି ଲୋକସଭାରେ ଅଛି ଏବଂ ତାଙ୍କ କାର୍ଯ୍ୟ ଦେଖିଛି।‘‘ମହାରାଷ୍ଟ୍ରର ଗ୍ରାମାଞ୍ଚଳ ତଥା ଦେଶର କିଛି ଅଞ୍ଚଳରେ ନୂତନ ଜନ୍ମ ହୋଇଥିବା ବାଛୁରୀ ସ୍ଥାନୀୟ ଦେବତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ଏହି ଷଣ୍ଢଗୁଡିକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ । ସେ ଆହୁରି କହିଛନ୍ତି “ଯଦି ଏପରି ଷଣ୍ଢ କ୍ଷେତରେ ପ୍ରବେଶ କରି ଫସଲ ଖାଏ, ତେବେ ଚାଷୀ ଏହାକୁ କ୍ଷମା କରି ଦେଇଥାଏ।’’
ଦାନବେଙ୍କ ଏହି ବିବୃତି ଜବାବ ଦେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ତାଙ୍କ ଇସ୍ତଫା ଦାବି କରିଛନ୍ତି। ପାଟୋଲ କହିଛନ୍ତି, ସେ (ଦାନବେ) ସମସ୍ତ ସୀମା ଅତିକ୍ରମ କରିଛନ୍ତି। ତାଙ୍କର ଏହି ଅଶାଳୀନ ମନ୍ତବ୍ୟ ପାଇଁ ଆମେ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରିବାକୁ ଦାବି କରୁଛୁ।