ସାପକୁ ରାକ୍ଷୀ ବାନ୍ଧୁଥିଲେ, ଚାଲିଗଲା ଜୀବନ

ପାଟନା: ରବିବାର ସାରା ଦେଶରେ ପାଳିତ ହୋଇଥିଲା ରାକ୍ଷୀପୂର୍ଣ୍ଣିମା। ଭଉଣୀ ମାନେ ଭାଇଙ୍କ ହାତରେ ରାକ୍ଷା ବାନ୍ଧି ଏହି ଦିନକୁ ପାଳନ କରିଥିଲେ। ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଆସିଛି ଦୁଃଖଦ ଖବର। ଜଣେ ଯୁବକ ସାପକୁ ରାକ୍ଷୀ ବାନ୍ଧିବାକୁ ଯାଇ ଜୀବନ ହରାଇଛନ୍ତି। ବିହାରର ସାରଣ ଜିଲ୍ଲାର ମନମୋହନ ସାପର ଚୋଟରେ ଜୀବନ ହରାଇଛନ୍ତି । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଭାଇ ସମସ୍ତଙ୍କୁ ପର କରି ଚାଲିଯାଇଛି।
ମିଳିଥିବା ସୂଚନା ମୁତାବିକ, ମନମୋହନ ନିଜ ଭଉଣୀକୁ ସାପକୁ ରାକ୍ଷୀ ବାନ୍ଧିବାକୁ କହିଥିଲେ। କିନ୍ତୁ ସେ ଭୟ କରି ଏଥିରୁ ଦୂରେଇ ରହିଥିଲେ। ପରେ ମନମୋହନ ଦୁଇଟି ସାପକୁ ଧରି ମୁଣ୍ଡରେ ଟିକା ଲଗାଇ ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ତାଙ୍କୁ ଜଣାନଥିଲା ଏହି ରକ୍ଷାବନ୍ଧନ ତାଙ୍କ ଜୀବନର ଶେଷ ଦିନ ହେବ ବୋଲି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମନମୋହନ ଦୁଇଟି ସାପର ଲାଞ୍ଜକୁ ଧରି ମୁଣ୍ଡରେ ସିନ୍ଦୁର ଟିକା ଲଗାଉଛନ୍ତି। ଏହି ସମୟରେ ଗୋଟିଏ ସାପ ତାଙ୍କ ଗୋଡ଼ ଆଡ଼କୁ ଯାଇ ଫେରିଆସୁଛି। ଏହାର କିଛି ସମୟ ପରେ ସେ ଟିକିଏ ଅନ୍ୟମନସ୍କ ହେଉଛନ୍ତି। ଏହା ପରେ ସାପଟି ପୁଣି ଥରେ ତାଙ୍କ ଗୋଡ଼ ଆଡ଼କୁ ଯିବା ସହ ତାଙ୍କର ଗୋଟିଏ ଆଙ୍ଗୁଳିକୁ କାମୁଡ଼ି ପାକାଉଛି। ଯାହା କ୍ୟାମେରାରେ କଏଦ ହୋଇଛି।
କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। କିନ୍ତୁ ଏନେଇ ଭିଡିଓରେ କିଛି ଦେଖିବାକୁ ମିଳିନଥିଲେ ମଧ୍ୟ ସୂଚନା ମିଳିଛି। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତେ ଝଡ଼ା ଫୁଙ୍କା କରିଥିଲେ। ଯାହାଫଳରେ ମନମୋହନଙ୍କ ମୃତ୍ୟୁ ହୋଇଥିଲା।