୬ ମାସ ପରେ ଟସ୍ ଜିତିଲେ ବିରାଟ, ସଙ୍କଟରେ ଟିମ୍ ଇଣ୍ଡିଆ
![](https://www.odishalink.com/wp-content/uploads/2021/08/Untitled-design-1-750x430.png)
ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଦୀର୍ଘଦିନ ପରେ ବିରାଟଙ୍କ ସପକ୍ଷରେ ଟସ୍ ଯାଇଛି। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଟସ୍ ଜିତିଥିଲେ। ଏହା ପରେ କୋହଲି ଲଗାତର ଟସ୍ ହାରିଥିଲେ।
ଲର୍ଡ୍ସ ଟେଷ୍ଟ ଖେଳିଥିବା ଚୂଡ଼ାନ୍ତ ଏକାଦଶ ସହ ଭାରତ ମଇଦାନକୁ ଓହ୍ଲାଇ ଥିବାବେଳେ ଇଂଲଣ୍ଡ ଟିମ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଆଉଟ୍ ଅଫ୍ ଫର୍ମରେ ଥିବା ଡମ୍ ସିବଲେଙ୍କ ସ୍ଥାନରେ ଡାୱିଡ୍ ମଲାନ୍ ଓ ଆହତ କାରଣରୁ ବାଦ୍ ପଡ଼ିଥିବା ମାର୍କ ଉଡଙ୍କ ବଦଳରେ କ୍ରେଗ୍ ଓଭରଟନଙ୍କୁ ସୁଯୋଗ ମିଳିଛି।
କେଏଲ ରାହୁଲ ଓ ରୋହିତ ଶର୍ମା ଯୋଡ଼ି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ହେଲେ ଜେମ୍ସ ଆଣ୍ଡରସନ୍ ଟିମ୍ ଇଣ୍ଡିଆକୁ ଦେଇଛନ୍ତି ପ୍ରାରମ୍ଭିକ ଝଟକା। ଭାରତୀୟ ସ୍କୋର ୧ ଥିବା ବେଳେ ଆଣ୍ଡରସନ୍ ଦେଇଥିଲେ ପ୍ରଥମ ଝଟକା। ଲର୍ଡସର ହିରୋ ରାହୁଲଙ୍କୁ ଶୂନ୍ ରନରେ ପ୍ୟାଭିଲିଅନ୍ ପଠାଇଥିଲେ ଜିମ୍ମି। ଏହାପରେ ଦଳୀୟ ସ୍କୋର ୪ ରନ୍ ହୋଇଥିବା ବେଳେ ଭାରତୀୟ ଦଳକୁ ଲାଗିଥିଲା ୨ୟ ଝଟକା। ମାତ୍ର ୧ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ପୂଜାରା। ଏହାପରେ ରୋହିତଙ୍କ ସାଥ୍ ଦେବା ପାଇଁ ମଇଦାନକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ସେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୭ ରନ୍ କରି ଆଣ୍ଡରସନ୍ଙ୍କ ଶିକାର ହୋଇଥିଲେ। ଦଳୀୟ ସ୍କୋର ୨୧ ରନ୍ ହୋଇଥିବା ବେଳେ ଭାରତ ୩ଟି ଓ୍ବିକେଟ ହରାଇ ସଙ୍କଟରେ।