ମାତ୍ର ୬ଟି ବଲରେ ଆଉଟ୍ ହେଲେ ୪ ଖେଳାଳି, ୭୮ରେ ଅଲଆଉଟ୍ ହେଲା ଭାରତ
![](https://www.odishalink.com/wp-content/uploads/2021/08/england-team-750x430.jpg)
ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଯାଇଛି।
ଦୀର୍ଘଦିନ ପରେ ବିରାଟଙ୍କ ସପକ୍ଷରେ ଟସ୍ ଯାଇଛି। ହେଲେ ଟସ୍ ଜିତିବାର ପରିଣାମ ଏହା ହେବ ବୋଲି ବିରାଟ କେବେ ଆଶା ରଖିନଥିଲେ। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଟସ୍ ଜିତିଥିଲେ। ଏହା ପରେ କୋହଲି ଲଗାତର ଟସ୍ ହାରିଥିଲେ।
ଟିମ୍ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ଓ ରୋହିତ ଶର୍ମା ଯୋଡ଼ି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ହେଲେ ଜେମ୍ସ ଆଣ୍ଡରସନ୍ ଟିମ୍ ଇଣ୍ଡିଆକୁ ଦେଇଛନ୍ତି ପ୍ରାରମ୍ଭିକ ଝଟକା। ଭାରତୀୟ ସ୍କୋର ୧ ଥିବା ବେଳେ ଆଣ୍ଡରସନ୍ ଦେଇଥିଲେ ପ୍ରଥମ ଝଟକା। ଲର୍ଡସର ହିରୋ ରାହୁଲଙ୍କୁ ଶୂନ୍ ରନରେ ପ୍ୟାଭିଲିଅନ୍ ପଠାଇଥିଲେ ଜିମ୍ମି। ଏହାପରେ ଦଳୀୟ ସ୍କୋର ୪ ରନ୍ ହୋଇଥିବା ବେଳେ ଭାରତୀୟ ଦଳକୁ ଲାଗିଥିଲା ୨ୟ ଝଟକା। ମାତ୍ର ୧ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ପୂଜାରା। ଏହାପରେ ରୋହିତଙ୍କ ସାଥ୍ ଦେବା ପାଇଁ ମଇଦାନକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ସେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୭ ରନ୍ କରି ଆଣ୍ଡରସନ୍ଙ୍କ ଶିକାର ହୋଇଥିଲେ। ଦଳୀୟ ସ୍କୋର ୨୧ ରନ୍ ହୋଇଥିବା ବେଳେ ଭାରତ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଏହାପରେ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ରୋହିତ ଶର୍ମାଙ୍କ ସହିତ ପାଳି ସମ୍ଭାଳିଥିଲେ। ହେଲେ ରାହାଣେ ୧୮ ରନ୍ କରି ରବିନଶନଙ୍କ ଶିକାର ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ମାତ୍ର ୨ ରନ୍ କରି ସଅଳ ପ୍ୟାଭଲିଅନ୍ ଯାଇଥିଲେ। ଏହାପରେ ଦଳକୁ ଲାଗିଥିଲା ୬ଷ୍ଠ ଝଟକା। ରୋହିତ ଶର୍ମା ମାତ୍ର ୧୯ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ରୋହିତଙ୍କ ପଛକୁ ପଛ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜା ଆଉଟ ହୋଇଥିଲେ। ୬୭ ରନରେ ହିଁ ଟିମ୍ ଇଣ୍ଡିଆ ୪ଟି ଓ୍ବିକେଟ ହରାଇଥିଲା। ପରେ ମହମ୍ମଦ ସିରାଜ ୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଇଶାନ୍ତ ଶର୍ମା ୮ ରନ୍ କରି ଅପରାଜିତ ଥିଲେ।
ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଓ ଓଭରଟନ୍ ୩ଟି ଓ୍ବିକେଟ ନେଇଥିବା ବେଳେ ଓଲି ରବିନଶନ୍ ଓ ସାମ୍ କୁରାନ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି।