ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା। ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କୋଭିଡ ମୁକାବିଲା ନେଇ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ବେଡ଼, ଟେଷ୍ଟ କିଟ୍ ମହଜୁଦ ରହିଥିବା ବେଳେ ୮ ପ୍ରକାରର ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।
ଶିଶୁ ବିଭାଗରେ ୧୨ ବେଡ଼ ବିଶିଷ୍ଟ ଓଉଟବେଡ୍, ୨୦ରୁ ୩୦ ବେଡ଼ ବିଶିଷ୍ଟ ଅକ୍ସିଜେନ ବେଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ତଦାରଖ ପାଇଁ ଜଣେ ଡାକ୍ତରଙ୍କୁ ୨ଟି ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଆଇସିୟୁ ବେଡ, ଆବଶ୍ୟକ କିଟ ଏବଂ ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ।
ଏହି ସମସ୍ତ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲ ଗୁଡିକ ତୃତୀୟ ଲହର ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି।