Yahooର ନ୍ୟୁଜ୍ ଓ୍ବେବସାଇଟ୍ ଭାରତରେ ବନ୍ଦ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ୟାହୁର ଡିଜିଟାଲ ନ୍ୟୁଜ୍ ପ୍ରକାଶନ ସଂସ୍ଥା। ଡିଜିଟାଲ ମିଡିଆରେ ନୂଆ ଏଫଡିଆଇ ନିୟମ ପାଇଁ ୟାହୁ ଏହି ସେବା ବନ୍ଦ କରି ଦେଇଛନ୍ତି। ଯାହାଫଳରେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଅପରପକ୍ଷେ ପୂର୍ବପରି ଭାରତରେ ୟାହୁର ଇ-ମେଲ ଏବଂ ସର୍ଚ୍ଚ ଇଞ୍ଜିନ ସେବା ଜାରି ରଖିବ।
ଏକ ବିଜ୍ଞପ୍ତି ଦ୍ବାରା ୟାହୁ ୱେବସାଇଟ୍ କହିଛି ଯେ ୟାହୁ ଇଣ୍ଡିଆ ୨୬ ଅଗଷ୍ଟରୁ କଣ୍ଟେନ୍ଟ ପ୍ରକାଶ କରିବ ନାହିଁ। ୟାହୁରେ ଥିବା ଆପଣଙ୍କର ଆକାଉଣ୍ଟ୍, ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଏହି କାରଣରୁ କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବ ପରି ଏହା ମଧ୍ୟ କାର୍ଯ୍ୟ କରିବ। ଆପଣଙ୍କ ସହଯୋଗ ଏବଂ ସମର୍ଥନ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ । ୨୦୧୭ରେ, ୟାହୁ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଭେରିଜନ୍ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା।
ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ବିଦେଶୀ ମାଲିକନା ଉପରେ ଗୋଟିଏ ନିୟମ ରହିଛି। ତେଣୁ ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି। ୟାହୁ ଆହୁରି ମଧ୍ୟ କହିଛି ଯେ ଯେହେତୁ ୟାହୁ କ୍ରିକେଟରେ ମଧ୍ୟ ନ୍ୟୁଜ ଆସେ କିନ୍ତୁ ନୂଆ ଏଫଡିଆଇ ନିୟମ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା। ଯାହା ମିଡିଆ କମ୍ପାନୀଗୁଡିକର ବିଦେଶୀ ମାଲିକାନାକୁ ସୀମିତ କରିଥାଏ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ ଏଫଡିଆଇ ନିୟମ ଅକ୍ଟୋବରରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ଦେଶରେ ଥିବା ମିଡିଆ ଗୁଡିକରେ ବିଦେଶୀ ମାଲିକ ମାନେ ୨୬ ପ୍ରତିଶତ ଅଂଶଧନ ପୁଞ୍ଜି ନିବେଶ କରିପାରିବେ।