କରୋନାରେ ଆଉ ୨ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ଆଜି କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଶିଶୁଙ୍କର ମୃତ୍ୟୁ ହୋଇଛି।
କଟକରେ ଶିଶୁ ମାତ୍ର ୧୨ ଦିନର ହୋଇଥିବା ବେଳେ ମୟୂରଭଞ୍ଜରୁ ୫ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଉଭୟ ଶିଶୁ କୋଭିଡ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବଲାଙ୍ଗିରରେ କରୋନାରେ ଜଣେ ତିନି ମାସର ଶିଶୁର ମୃତ୍ୟୁ ହୋଇଥିଲା
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୬୯୭ କୁ ବୃଦ୍ଧି ପାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଭଦ୍ରକ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।