କଟକ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନବୀନଙ୍କ ପ୍ରଶଂସା

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଇକ୍ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଇକ୍ମୋ ମେସିନ ଗୁଡିକୁ ବୁଲି ଦେଖିଥିଲେ। ପରେ କଟକ ସହରର ସୌନ୍ଦର୍ଯ୍ୟକରଣ ବୁଲି ଦେଖିବା ସହ ପ୍ରଶଂସା କରିଛନ୍ତି ନବୀନ।
ସୂଚନାଯୋଗ୍ୟ ଯେ ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଇକମୋ ୟୁନିଟ୍ ଏବଂ ଏକ୍ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ସରକାର ସ୍ତରରେ ପ୍ରଥମ ଓ ସର୍ବବୃହତ। ଏଥିପାଇଁ ଅଭିଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି। କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କଟକୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।