ଏଣିକି ରବିବାର ଦିଆଯିବ ଟିକା
![](https://www.odishalink.com/wp-content/uploads/2021/04/corona-vaccine-750x430.jpg)
ଭୁବନେଶ୍ବର: ଟିକାକରଣରେ ଭାରତ ଐତିହାସିକ ସଫଳତା ଲାଭ କରିଛି। ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଶୁକ୍ରବାର ୧,୦୦,୬୩,୯୩୧ ଡୋଜ୍ ଟିକା ଦିଆଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୮ ଲକ୍ଷରୁ ଅଧିକ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏଥିସହିତ କେବଳ ଅଗଷ୍ଟରେ ୧୫ କୋଟି ଟିକାକରଣ କରାଯାଇଛି।
ସେହିପରି ଗତ ଜୁଲାଇରେ ୧୩ କୋଟି ୪୫ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିଲା। ଏହା ପୂର୍ବରୁ ଜୁନ୍ରେ ୧୧ କୋଟି ୯୭ ଲକ୍ଷ ଡୋଜ୍ ଟିକା ପ୍ରଦାନ କରାଯାଇଥିଲା। ଜୁନ ତୃତୀୟ ସପ୍ତାହରେ ୪.୧୨ କୋଟି ଡୋଜ୍ ଟିକା ଦିଆଯାଇଥିଲା ବେଳେ ଅଗଷ୍ଟ ୨୧-୨୭ ମଧ୍ୟରେ ୪.୫ କୋଟି ଡୋଜ୍ ଟିକା ପ୍ରଦାନ କରାଯାଇଛି।
ଏସବୁ ମଧ୍ୟରେ ଓଡ଼ିଶାରେ ମଧ୍ୟ ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ କରୋନା ମାମଲା ଅଳ୍ପ ମାତ୍ରାରେ କମିଥିବା ବେଳେ ସମ୍ପୂର୍ଣ୍ଣ ସଂକ୍ରମଣରେ ରୋକ୍ ଲାଗି ପାରିନାହିଁ। ଏସବୁକୁ ନଜରରେ ରଖି ବିଏମସି ନେଇଛି ପଦକ୍ଷେପ। ଏଣିକି ପ୍ରତ୍ୟେକ ରବିବାର ରାଜଧାନୀରେ ଟିକାକରଣ ଚାଲୁ ରହିବ। ସବୁ ବର୍ଗର ଲୋକମାନେ ନିକଟସ୍ଥ ଟିକାକରଣ ସେଣ୍ଟରକୁ ଯାଇ ଟିକା ନେଇ ପାରିବେ। ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।