ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଅଫ୍ଲାଇନ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ଅଫ୍ଲାଇନ ଶୁଣାଣି। କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇ ଆସୁଥିଲା। ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ସ୍ବାଭାବିକ ଶୁଣାଣି ହେବ।
ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି। ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ବାଭାବିକ ଶୁଣାଣି ନେଇ ଏସଓପି ଜାରି କରିଛନ୍ତି।
ଏସଓପି ମୁତାବକ, ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ବାଭାବିକ ଶୁଣାଣି ହୋଇପାରିବ। ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ବାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ। ଏହାସହ ଯଦି ଖଣ୍ଡପୀଠ ଚାହାଁନ୍ତି, ତେବେ ଅନ୍ୟ ଦିନ ଗୁଡିକରେ ସ୍ବାଭାବିକ ଭାବେ ଶୁଣାଣି ହୋଇପାରିବ। ଯଦି ବିଭିନ୍ନ ପକ୍ଷ ଲାଗି ୨୦ରୁ ଅଧିକ ଲେଖାଏଁ ଓକିଲ କୋର୍ଟ ରୁମ୍ ପିଛା ରହନ୍ତି, ତେବେ ଭିଡିଓ ବା ଟେଲି କନଫରେନ୍ସ ଜରିଆରେ ଶୁଣାଣି ହୋଇପାରିବ।
ସ୍ୱାଭାବିକ ଶୁଣାଣି ପାଇ’ ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ। ପକ୍ଷ ପିଛା ଜଣେ ପଞ୍ଜିକୃତ କିରାଣିଙ୍କୁ ବି ଅନୁମତି ମିଳିବ।