କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି: ସୌମ୍ୟଙ୍କ ବାପା

ସୋର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ବାଲେଶ୍ୱର ଖଇରା ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା, ମା’, ମାମୁଁ, ମାଇଁ, ଭାଇଙ୍କ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ହେଲେ ଏନେଇ ଆଗରୁ କିଛି ସୂଚନା ଦିଆଯାଇ ନ ଥିବା କହିଛନ୍ତି ସୌମ୍ୟଙ୍କ ବାପା।
ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ବାପା କହିଛନ୍ତି, “ଆମ ଘରକୁ କ୍ରାଇମବ୍ରାଞ୍ଚ ଟିମ୍ ଆସୁଛି, ହେଲେ ଆମ ପାଖରେ ଖବର ନାହିଁ। ସେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିନୁ। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି।” ଏପରି କହି ପୁଅ ମୃତ୍ୟୁର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ସୌମ୍ୟରଂଜନଙ୍କ ବାପା।
ଏଥିସହ ସେ କହିଛନ୍ତି, ୫୦ ଦିନ ହେବ ପୁଅ ଗଲାଣି କିନ୍ତୁ ତା’ ଘର, ଅଫିସ୍ କିଛି ସିଜ୍ ନଷ୍ଟ ହେଲାନି। ସବୁ ପ୍ରମାଣ ନଷ୍ଟ କରିଦେଲେ। ଡିଜିଙ୍କୁ ସାକ୍ଷାତ କରିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲା। ପ୍ରଥମ ୮-୧୦ ଦିନ କ୍ରାଇମବ୍ରାଞ୍ଚ ଠିକ୍ ଭାବେ ତଦନ୍ତ କଲେ। ଭାବିଥିଲୁ ନ୍ୟାୟ ପାଇବୁ କିନ୍ତୁ ଏହାପରେ ବସିଗଲା। ପଚାରିବାରୁ ସେତେବେଳେ କହିଲେ ଆମକୁ ଉପରୁ ନିର୍ଦ୍ଦେଶ ନାହିଁ। ଏବେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିପାରୁନୁ।
ଗତକାଲି ବିଧାନସଭା ଯାଇ ବିରୋଧି ଦଳ ନେତାଙ୍କୁ ଦେଖା କରିଥିଲୁ। ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଥିଲୁ। ରାଜ୍ୟପାଳଙ୍କୁ ଦାବିପତ୍ର ଦେଲୁ। ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବାକୁ ଆସୁଛି।
ଆମେ ୫୦ ଦିନ ତଳେ ଏଫଆଇଆର ଦେଲୁ ବିଦ୍ୟାଭାରତୀ, ମନ୍ମଥ କୁମ୍ଭ, ସଂଗ୍ରାମ କେଶରୀ ବେହେରାଙ୍କ ନାଁରେ ଅଭିଯୋଗ କଲୁ। ସେମାନଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଲାଗିଥିବା ବେଳେ ସେମାନଙ୍କୁ ଗିରଫ କରାଯାଉନି। ଅଭିଯୁକ୍ତଙ୍କୁ ଥାନାକୁ ନ ଡକାଇ ଘରକୁ ଯାଇ ପଚାରୁଛନ୍ତି। ତେଣୁ କିପରି ଭରସା ପାଇବ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।
କ୍ରାଇମବ୍ରାଞ୍ଚ ଟିମ୍ ଆସନ୍ତା କାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।