ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ। ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଥିବା ବେଳେ ବିରୋଧୀଙ୍କ ସବୁ ପ୍ରଶ୍ନର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ କହିଛି।
ମରୁଡ଼ି, ସାର ଅଭାବ, ଜଳସେଚନ ସମସ୍ୟା, ଆଇନଶୃଙ୍ଖଳା ଆଦିକୁ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ ବିଜେପି ସେପଟେ ସମାନ ପ୍ରସଙ୍ଗ ସହ ଦରବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି, ସ୍ୱାସ୍ଥ୍ୟସେବା ଓ ଶିକ୍ଷକ ଅଭାବ ସମସ୍ୟା ଉଠାଇବାକୁ କଂଗ୍ରେସ ଯୋଜନା କରିଛି।
ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ବିଜେଡି ମଧ୍ୟ ପ୍ରସ୍ତୁତ ରହିଛି। ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି। ଏହାସହ ବିଧାନସଭାରେ ଗ୍ରାମୀଣ ଗୃହନିର୍ମାଣ ଓ ଏମଏସପି ପ୍ରସଙ୍ଗ ଉଠାଇବ ଶାସକ ଦଳ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ଵାମୀନାଥନ କମିଟିର ସୁପାରିସ ଲାଗୁ କରିବାକୁ ମଧ୍ୟ ଦାବି କରିବ ବିଜେଡି।
ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଦିନ ଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି। ୫ ତାରିଖ ରବିବାର ଛୁଟି ରହିବ। ୧୨ଟି ବିଲ୍ ଚଳିତ ବିଧାନସଭାରେ ଆସିବ । ଗୃହ ଚାଲୁଥିବା ସମୟରେ ଆହୁରି ବିଲ୍ ମଧ୍ୟ ଆସିବାର ସମ୍ଭାବନା ରହିଛି।