ରୋଡ ଶୋ’ ଓ ରାଲି ବିନା ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବ। ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି। ଏଥିରେ ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ରୋଡ ଶୋ’, ବାଇକ୍ ଓ ସାଇକେଲ ରାଲି ମନା ହୋଇଛି।
ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ଦିଆଯାଇଛି। ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ୯ ଦିନ ପାଇଁ କ୍ୟାମ୍ପେନିଂ ହେବ।
ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରିବାର ପ୍ରକ୍ରିୟା ରହିଛି। ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ଚୂଡାନ୍ତ ପ୍ରାର୍ଥୀ ତାଲିକା ପେରେ ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ।
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି। ପିପିଲି ଉପନିର୍ବାଚନର ରଣାଙ୍ଗନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ୧୦ ପ୍ରାର୍ଥୀଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି। କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି। ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନାମାଙ୍ଗନ ଭରିଛନ୍ତି। ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ଅଛନ୍ତି।