ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍ଆଉଟ୍’ ନୋଟିସ୍ ଜାରି କଲା ଇଡି

ନୂଆଦିଲ୍ଲୀ: ଆୟବହିର୍ଭୂତ ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ଲୁକ୍ଆଉଟ୍’ ନୋଟିସ୍ ଜାରି କରିଛି।
ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା କେତେକ ସମନ୍କୁ ‘ଦି ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ର (ଏନ୍ସିପି) ନେତା ଦେଶମୁଖ ଏଡ଼ାଇ ଦେଇଥିଲେ। ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍ ଜାରି କରାଯାଇଥିବା କୁହାଯାଉଛି।
ବଳପୂର୍ବକ କାର୍ଯ୍ୟାନୁଷ୍ଠାନରୁ ସାମୟିକ ଆଶ୍ବସ୍ତି ଦେବା ଲାଗି ଦେଶମୁଖ କରିଥିବା ଅବେଦନକୁ ଗତ ମାସରେ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଅଗଷ୍ଟ ୨୩ ତାରିଖରେ ମଧ୍ୟ ‘ସିବିଆଇ’ ଏହି ମାମଲାରେ ତାଙ୍କର ଦୁଇଜଣ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିଥିଲା। ଦେଶମୁଖଙ୍କ ନିର୍ଦେଶମତେ ଉଭୟ ଉକ୍ତ ଆର୍ଥିକ ଦୁର୍ନୀତି ଘଟଣାରେ ଭୂମିକା ନେଇଥିବା ଅଭିଯୋଗରେ ଜୁନ୍ ୨୬ ତାରିଖ ଦିନ ସେମାନଙ୍କୁ ‘ସିବିଆଇ’ ଗିରଫ କରିଥିଲା।