ଆସିଲା ନୂଆ ଏସ୍ଓପି: ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିଲା ନୂଆ ଏସ୍ଓପି। ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ଦର୍ଶନ ଉପରେ ଲାଗିଥିବା କଟକଣାକୁ କୋହଳ କଲା ମନ୍ଦିର ପ୍ରଶାସନ। ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହାର ଅବଧିକୁ ବଢାଇଦିଆଯାଇଛି। ଏବେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ।
ଏହା ସହ ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ସପ୍ତାହାନ୍ତ ସଟଡାଉନ ହଟିବା ପରେ ଏବେ ଶନିବାର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନକୁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ । ଏବେ ସୋମବାରରୁ ଶନିବାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କେବଳ ରବିବାର ମନ୍ଦିର ବନ୍ଦ ରହିବ।