ୟୁପି ବିଧାନସଭା ନିର୍ବାଚନ ଲଢିବ ଶିବସେନା
ମହାରାଷ୍ଟ୍ର: ୟୁପି ରାଜନୀତିରେ ପ୍ରବେଶ କରିବାକୁ ଯାଉଛି ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ଶିବସେନା ତରଫରୁ ହୋଇଥିବା କ୍ଷେତ୍ରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ବିଜେପିକୁ ଟାର୍ଗେଟ୍ କରି କୁହାଯାଇଛି କି ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୂଶୁଡି ପଡିଛି। ବିଜେପି ସରକାରରେ ମହିଳାମାନେ ଅଧିକ ଅସୁରକ୍ଷିତ ହୋଇପଡିଥିବା ବୈଠକରେ ପ୍ରଦେଶ ମୁଖ୍ୟ ଠାକୁର ଅନିଲ ସିଂ କହିଛନ୍ତି କି ୟୁପିରେ ବିଜେପି ସରକାର ବ୍ରାହ୍ମଣ ମାନଙ୍କ ସହ ଠିକ୍ ବ୍ୟବହାର କରୁନାହିଁ। ଏହାସହ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଯୋଗୀ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଦଳ ଯୋଗୀ ସରକାରଙ୍କୁ ଘେରିବ ବୋଲି ଠାକୁର ଅନିଲ ସିଂ କହିଛନ୍ତି।
ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ କରି ନିର୍ବାଚନ ଲଢିଥିଲେ ବି ସରକାର ଗଠନ କରିବା ସମୟରେ ଶିବସେନା ବିଜେପିକୁ ସାଙ୍ଗରେ ନନେଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିଲା। ଏହାପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କରେ ଭଟ୍ଟା ପଡିଥିଲା। ହେଲେ ୟୁପି ରାଜନୀତରେ ଶିବସେନାର ପ୍ରବେଶ ବିଜେପି ଉପରେ କେତେ ପ୍ରଭାବ ପଡିବ ତାହା ଉପରେ ନଜର।