କଙ୍ଗନାଙ୍କୁ କଡ଼ା ଚେତାବନୀ: କୋର୍ଟରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଅଦାଲତଙ୍କ କଡ଼ା ଚେତାବନୀ। ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା। ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି କଙ୍ଗନାକୁ ସେପ୍ଟେମ୍ବର ୧୪ରେ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି କୋର୍ଟରେ ହାଜର ହେବାକୁ ଥିବା ବେଳେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। କଙ୍ଗନାଙ୍କ ଓକିଲ ଅଦାଲତକୁ ଜଣାଇଥିଲେ ଯେ, ନିଜ ଫିଲ୍ମର ପ୍ରମୋସନ ପାଇଁ ସେ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ତାଙ୍କ ଦେହରେ ଏବେ କରୋନା ଲକ୍ଷଣ ଦେଖାଦେଇଛି। ଏନେଇ ୭ଦିନ ପରେ ଶୁଣାଣି ହେଲେ ସେ ଉପସ୍ଥିତ ରହିପାରିବେ।
ତେବେ ଜାଭେଦ ଅଖତରଙ୍କ ଓକିଲ ଏହାକୁ ମିଛ ବୋଲି କହିବା ସହ ଶୁଣାଣି ବିଳମ୍ବ କରିବାକୁ କଙ୍ଗନା ଏଭଳି ମିଛ କହୁଥିବା କହିଥିଲେ। ତେବେ ଦୁଇ ପକ୍ଷର ବିତର୍କ ଶୁଣିବା ପରେ ଅଦାଲତ ସେପ୍ଟେମ୍ବର ୨୦ରେ ଆଗାମୀ ଶୁଣାଣି ରଖିଛନ୍ତି। ଯଦି ସେପ୍ଟେମ୍ବର ୨୦ରେ କଙ୍ଗନା ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।