ବାତ୍ୟା ଗୁଲାବ ନେଇ ଏସ୍ଆରସିଙ୍କ ପ୍ରେସମିଟ୍

ଭୁବନେଶ୍ୱର: ବାତ୍ୟା ଗୁଲାବ ନେଇ ଏସ୍ଆରସିଙ୍କ ପ୍ରେସମିଟ୍। ପ୍ରେସମିଟ୍ ରେ ସେ କହିଛନ୍ତି ଯେ,ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି। ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ। ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ। ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା। ସମସ୍ତ ସ୍ଥାନରେ ମଧ୍ୟମ ହାଲୁକା ବର୍ଷା ହୋଇଛି। ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗୀରେ ୧୪୮ ମିଲି ମିଟର ବର୍ଷା ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।
ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲିମିଟର ବର୍ଷା ହୋଇଛି। ଗଜପତିର ଗୋଶାଣୀରେ ୮୩ ମିଲିମିଟର, ମୋହନାରେ ୩୩ ମିଲିମିଟର, ରାୟଗଡ ବ୍ଳକରେ ୬୦ ମିଲିମିଟର ଓ ନୂଆଗଡ଼ରେ ୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ। ଖୁଣ୍ଟ କେଉଁଠି ଉପୁଡି ନାହିଁ। ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି। ବର୍ଷା କମିଲେ ତାହା ମରାମତି କରାଯିବ। ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି। ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇ ନାହିଁ। କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ।
ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ। ସର୍ବମୋଟ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧୧୮୯ଟି ସେଲଟର ସେମାନଙ୍କୁ ରଖାଯାଇଥିଲା। ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବର୍ଷା ଟିକିଏ ଜାରି ରହିଛି ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ। କେବଳ ମାଲକାନଗିରି ରେ ୫୦ ରୁ ୬୦ ଗଛ ଭାଙ୍ଗିଥିବା କହିଛନ୍ତି ଏସ୍ ଆରସି।