ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବ ସିଡିଏସ୍ ବିପିନ୍ ରାଓ୍ବତ ଏବଂ ପତ୍ନୀଙ୍କ ପାର୍ଥୀବ ଶରୀର
ବିପିନ ରାଓ୍ୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ
![](https://www.odishalink.com/wp-content/uploads/2021/12/cds-bipin-rawat-750x430.jpg)
ନୂଆଦିଲ୍ଲୀ: ସାରା ଦେଶ ସ୍ତବ୍ଧ। ଜଣେ ବୀର ଯବାନଙ୍କୁ ହରାଇ ଝୁରୁଛି ସାରା ଭାରତ। ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ୍ (୬୩)ଙ୍କ ପରଲୋକ ହୋଇଥିଲା। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବ ଜେନେରାଲ ବିପିନ୍ ରାଓ୍ବତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର। ସେହିପରି ଆସନ୍ତାକାଲି ଜେନେରାଲ ବିପିନ ରାଓ୍ୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ। ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିପାରିବେ ଲୋକେ। ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲ ସୂଚନା ରହିଛି।
ତାମିଲନାଡ଼ୁ କୁନ୍ନୁର ନିକଟରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍ ରାଓ୍ୱତ୍, ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ଜୀବନ ଯାଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପଟେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଙ୍ଗ୍ ଆହତ ହୋଇ ୱେଲିଂଟନ୍ ମିଲିଟାରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ, ସିଡିଏସ୍ ଓ ସେନାର ଅଧିକାରୀଙ୍କୁ ନେଇ ହେଲିକପ୍ଟରଟି ତାମିଲନାଡୁ ନିକଟବର୍ତ୍ତୀ ସୁଲୁର ଏୟାରବେସ୍ରୁ ଉଟ୍ଟିର ୱେଲିଂଟନ୍ ଅଭିମୁଖେ ଯାଉଥିଲା । ୱେଲିଂଟନ୍ରେ ସଶସ୍ତ୍ର ବାହିନୀର କଲେଜ ଥିବାବେଳେ ସେଠାରେ ଏକ କାର୍ଯ୍ୟକ୍ରମରେ ରାୱତ୍ ଅଭିଭାଷଣ ରଖିବାର ଥିଲା । ସେହି କାର୍ଯ୍ୟକ୍ରମ ପରେ ସେ ନୂଆଦିଲ୍ଲୀ ଅଭିମୁଖେ ବାହାରିଥାନ୍ତେ । ତେବେ ଦୁର୍ଭାଗ୍ୟବଶତଃ ଅବତରଣ ସ୍ଥଳଠାରୁ ମାତ୍ର ୧୬ କିମି ଦୂରରେ ପ୍ରାୟ ୧୨.୨୦ରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପ୍ରଥମେ ଜାଣିବା ପରେ ତୁରନ୍ତ ଉଦ୍ଧାର ଅଭିଯାନରେ ଲାଗି ପଡ଼ିଥିଲେ ।