ଜେନେରାଲ ରାୱତଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ଗିରଫ କଲା ଗୁଜରାଟ ପୁଲିସ

ନୂଆଦିଲ୍ଲୀ: ଇଚ୍ଛା ରାଜନୀତି କରିବା। ପୂର୍ବରୁ ଉପସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ସାରିଥିବା ଜଣେ ବ୍ୟକ୍ତି ସରପଞ୍ଚ ହେବା ଆଶାରେ ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ବତଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ରହିବା ନେଇ କରିଥିଲେ ଆଶା। ହେଲେ ଏବେ ବନ୍ଧା ହେଲେ। ଅହମଦାବାଦ ସାଇବର୍ କ୍ରାଇମ୍ ସେଲ୍ ଜଣେ ୪୪ ବର୍ଷିୟ ଗୁଜରାଟୀ ବ୍ୟକ୍ତିଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ବହୁ ଦିନ ତଳେ ବ୍ୟକ୍ତି ଜଣକ ଖରାପ ମନ୍ତବ୍ୟ ଦେଇଥିବା କାରଣରୁ ବ୍ୟକ୍ତିଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତି ଜଣକ ନିକଟରେ ଏକ ପୋଷ୍ଟ୍ କରିବା ପରେ ଉକ୍ତ ପୁରୁଣା ପୋଷ୍ଟ୍ଗୁଡ଼ିକ ଦୃଷ୍ଟିଗୋଚର ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୁଜରାଟ ରାଜ୍ୟର ଅମ୍ରେଲି ଜିଲ୍ଲା ଅନ୍ତର୍ଗତ ରାଜୁଲା ତାଲୁକ ଅଞ୍ଚଳର ଭେରାଇ ଗ୍ରାମର ବାସିନ୍ଦା ଶିବଭାଇ ରାମ ବୋଲି ‘ସାଇବର୍ କ୍ରାଇମ୍ ସେଲ୍’ ରିଲିଜ୍ କରିଥିବା ବିବୃତିରେ ଉଲ୍ଲେଖ କରିଛି। ହେଲେ ଗିରଫ ବ୍ୟକ୍ତି ଜଣକ ଜେନେରାଲ୍ ରାୱତ୍ଙ୍କ ବିରୋଧରେ କ’ଣ ମନ୍ତବ୍ୟ ଦେଇଛନ୍ତି, ତାହା ବିବୃତିରେ ଉଲ୍ଲେଖ କରାଯାଇନାହିଁ।
ପୁଲିସ କମିଶନର୍ ଜିତେନ୍ଦ୍ର ଯାଦବ କହିଛନ୍ତି, ହିନ୍ଦୁ ଦେବାଦେବୀ ତଥା ନିର୍ବାଚିତ ପ୍ରତିନିଧିମାନଙ୍କ ବିରୋଧରେ ‘ଶିବଭାଇ ଅହିର’ ଶୀର୍ଷକ ଫେସ୍ବୁକ୍ ପେଜ୍ରେ କରିଥିବା ପୁରୁଣା ପୋଷ୍ଟ୍ ପାଇଁ ରାମଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ରାମଙ୍କର ରାଜନୈତିକ ଅଭିଳାଷ ଅଛି ଏବଂ ଆପତ୍ତିଜନକ ପୋଷ୍ଟ୍ ସେୟାର୍ କରି ସେ ଚର୍ଚ୍ଚିତ ହେବାକୁ ଚାହୁଁଛନ୍ତି। ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ସେ ତାଙ୍କ ଗାଁର ଉପସରପଞ୍ଚ ଥିଲେ ବୋଲି ପୁଲିସ୍ କହିଛି ।