ମହାତ୍ମା ଗାନ୍ଧୀ ହିନ୍ଦୁ, କିନ୍ତୁ ନାଥୁରାମ ଗଡ଼ସେ ଜଣେ ହିନ୍ଦୁତ୍ୱବାଦୀ: ରାହୁଲ

ନୂଆଦିଲ୍ଲୀ: ମହଙ୍ଗାମାଡ଼ରେ ସାଧାରଣ ଜନତା ହନ୍ତସନ୍ତ। ଦେଶରେ ଦେଖିବାକୁ ମିଳୁଥିବା ମହଙ୍ଗାସ୍ଥିତିକୁ କେନ୍ଦ୍ର କରି ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ। ରବିବାର ଦିନ ଜୟପୁରରେ ଦରବୃଦ୍ଧି ବିରୋଦ୍ଧରେ କଂଗ୍ରେସ କରିଛି ମହାରାଲି। ଆଉ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିିଛନ୍ତି ରାହୁଲ ଗାନ୍ଧୀ।
ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏବେ ଦେଶରେ ପରିସ୍ଥିତି ଆପଣମାନେ ଦେଖୁଥିବେ। ଏବେ ନେତା ନୁହେଁ ବରଂ ୩-୪ ପୁଞ୍ଜିପତିମାନେ ଦେଶ ଚଳାଉଛନ୍ତି। ଆଉ ଆମ ଦେଶର ପ୍ରଧାନମନ୍ତ୍ରୀ ସେମାନଙ୍କର କାମ କରୁଛନ୍ତି। ଏହା ହେଉଛି ଆମ ଦେଶର ଅସଲ ସ୍ଥିତି ବୋଲି ରାହୁଲ କହିଛନ୍ତି। ଏଥିସହିତ ଦେଶର ରାଜନୀତିରେ ଶବ୍ଦର ପ୍ରତିଯୋଗିତା ଚାଲିଛି। ଗୋଟିଏ ଶବ୍ଦ ହେଉଛନ୍ତି ହିନ୍ଦୁ ଏବଂ ଅନ୍ୟଟି ହେଉଛି ହିନ୍ଦତ୍ଵବାଦୀ ବୋଲି ରାହୁଲ କହିଛନ୍ତି। କେବଳ ସେତିକି ନୁହେଁ ଦେଶରେ ଦରବୃଦ୍ଧିର କାରଣ ହିନ୍ଦୁତ୍ବବାଦୀ ବୋଲି ରାହୁଲ ରାଲିରେ କହିଛନ୍ତି।
କେବଳ ସେତିକି ନୁହେଁ ରାଲିରେ ‘ହିନ୍ଦୁ‘ ଏବଂ ‘ହିନ୍ଦୁତ୍ୱ‘ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ, ମୁଁ ଜଣେ ହିନ୍ଦୁ , କିନ୍ତୁ ମୁଁ ହିନ୍ଦୁତ୍ୱବାଦୀ ନୁହେଁ। । ଆପଣ ସମସ୍ତେ ହିନ୍ଦୁ ଅଟନ୍ତି। ମହାତ୍ମା ଗାନ୍ଧି ଜଣେ ହିନ୍ଦୁ ଥିଲେ । କିନ୍ତୁ ନାଥୁରାମ ଗଡ଼ସେ ଜଣେ ହିନ୍ଦୁତ୍ୱବାଦୀ ଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ସେ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀ ତାଙ୍କ ସାରା ଜୀବନ ସତ୍ୟର ସନ୍ଧାନରେ ଅତିବାହିତ କରିଥିଲେ। କିନ୍ତୁ ହିନ୍ଦୁତ୍ୱବାଦି ଗଡ଼ସେ ତାଙ୍କ ଉପରକୁ ୩ଟି ଗୁଳି ଚଳାଇଥିଲେ। ସେ ଆହୁରି କହିଥିଲେ ଯେ, ମୁଁ ଆପଣଙ୍କୁ ଏ ବିଷୟରେ କିଛି ପ୍ରଭେଦ କହିବାକୁ ଚାହୁଁଛି। ହିନ୍ଦୁମାନଙ୍କର ପଥ ହେଉଛି ସତ୍ୟର ପଥ । ସେମାନେ ସତ୍ୟ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ । ଭଗବତ ଗୀତା ମଧ୍ୟ ହିନ୍ଦୁମାନଙ୍କୁ ସତ୍ୟର ସନ୍ଧାନ କରିବାକୁ କୁହେ। କିନ୍ତୁ ହିନ୍ଦୁତ୍ୱବାଦୀଙ୍କର ସତ୍ୟ ସହିତ କୌଣସି ସମ୍ପର୍କ ନଥାଏ। ସେମାନେ କେବଳ କ୍ଷମତା ପାଇଁ ଭୋକିଲା ବୋଲି ରାହୁୁଲ କହିଛନ୍ତି।
ଆଜି ଅନୁଷ୍ଠିତ ହୋଇଥିବା ମହାରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଅଜୟ ମାକନ, ମଲ୍ଲିକାର୍ଜୁନ ଖଡଗେ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।