ବଢ଼ିବ ବାହାଘର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ

ନୂଆଦିଲ୍ଲୀ: ବଢ଼ିବ ବାହାଘର ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ। ଏନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଛି। ଯାହାଫଳରେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା। ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ। ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବାହାଘର ବୟସ ୨୧କୁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି।
୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଝିଅଙ୍କ ବିବାହ ବୟସ ସୀମା ବଢାଇବା ନେଇ ଇଙ୍ଗିତ କରିଥିଲେ। ଏହାପରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା। ଏଥିରେ ଟପ୍ ବିଶେଷଜ୍ଞ ଡା ଭିକେ ପଲ୍, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ। ଏହି ଟାସ୍କ ଫୋର୍ସର ନେତୃତ୍ୱ ଜୟା ଜେଟଲୀ ନେଇଥିଲେ। ଏହି ଟିମ୍ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଂଗଠନ ଗୁଡିକର ପରାମର୍ଶ ନେଇଥିଲେ।
ଟାସ୍କ ଫୋର୍ସ ଡିସେମ୍ବର ମାସରେ ତା’ର ରିପୋର୍ଟ ଦାଖଲ କରିଥିଲା। ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା। ଏହାବାଦ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା।
ବିବାହ ବୟସରେ ପରିବର୍ତ୍ତନ ପାଇଁ ମୁଖ୍ୟତଃ ୪ଟି ଆଇନରେ ସଂଶୋଧନ ହେବ। ଏଥିପାଇଁ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିଛି। ଅନ୍ତିମ ଥର ପାଇଁ ୧୯୭୮ରେ ବିବାହ ଆଇନରେ ପରିବର୍ତ୍ତନ ହୋଇଥିଲା । ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତ୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ହୋଇଥିଲା ।