ଉତ୍ତର ପ୍ରଦେଶ ନିର୍ବାଚନ: ଭୁଲିଲେ ବାଦ ବିବାଦ, ଏକାଠି ହେଲେ ଦାଦା-ପୁତୁରା

ଲକ୍ଷ୍ମୌ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଆଉ ମାତ୍ର କିଛିଟା ମାସ ପରେ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ଏସବୁ ମଧ୍ୟରେ ଉତ୍ତରପ୍ରଦେଶରୁ ଆସିଛି ବଡ଼ ଖବର। ଉତ୍ତରପ୍ରଦେଶ ରାଜନୈତିକ ପାଣିପାଗରେ ଦେଖିବାକୁ ମିଳିଛି କୋଳାକୋଳି ରାଜନୀତି। ପୂର୍ବ ବାଦବିବାଦକୁ ଭୁଲି ବିଧାନସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଛନ୍ତି ଦାଦା-ପୁତୁରା।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାଦା ଶିବପାଲ ସିଂ ଯାଦବଙ୍କଙ୍କ ଦଳ ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସହ ମେଣ୍ଟ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଣନୀତି ଆପଣା ଯାଇଛି। ଏନେଇ ଟ୍ୱିଟରରେ ଗୁରୁବାର ସୂଚନା ଦେଇଛନ୍ତି ଅଖିଳେଶ।
ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସଭାପତି ଶିବପାଲ ସିଂଙ୍କୁ ଅଖିଳେଶ ଯାଦବ ଭେଟିଥିଲେ। ସେ ଦାଦାଙ୍କୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ମେଣ୍ଟ ନିଷ୍ପତ୍ତି ହୋଇଥିବା ନେଇ ଅଖିଳେଶ ଘୋଷଣା କରିଥିଲେ। ଉଭୟ ଦଳର ଶତାଧିକ ସମର୍ଥକ ଶିବପାଲଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ “ଚାଚା-ଭାତିଜା ଜିନ୍ଦାବାଦ” ନାରା ମଧ୍ୟ ଦେଇଥିଲେ। ଯାହା ଉତ୍ତର ପ୍ରଦେଶ ରାଜନୀତିରେ ନୂଆ ମୋଡ଼ ଆଣିଛି।
ସୂଚନାଯୋଗ୍ୟ, ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭାରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଆଗରୁ ଘୋଷଣା କରି ସାରିଛନ୍ତି ଅଖିଳେଶ ଯାଦବ। ୨୦୧୬ ମସିହାରେ ଦାଦା-ପୁତୁରା ରାଜନୈତିକ ସମ୍ପର୍କରେ ଫାଟ ପଡ଼ିଥିଲା। ୨୦୧୭ ଜାନୁୟାରୀରେ ଏସପିଠାରୁ ଅଲଗା ହୋଇ ଶିବପାଲ ନୂଆ ଦଳ ଗଠନ କରିଥିଲେ।