ଓମିକ୍ରନ୍ର କାୟା ବିସ୍ତାର, ୧୧୩ ଆକ୍ରାନ୍ତ ଚିହ୍ନଟ
![](https://www.odishalink.com/wp-content/uploads/2021/12/omicron-750x430.jpg)
ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍ ଚିନ୍ତା। ବିଶ୍ବର ୯୧ଟି ଦେଶରେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ଦେଶର ୧୨ଟି ରାଜ୍ୟରୁ ୧୧୩ ଜଣଙ୍କ ନିକଟରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି।
ଦେଶରେ ତୃତୀୟ ଲହର ଆରମ୍ଭ ହେବା ଆଶଙ୍କା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବ୍ରିଟେନ୍ରେ ଯେଉଁଭଳି ସଂକ୍ରମଣ ବଢ଼ୁଛି ଯଦି ସେଭଳି ଭାବେ ଭାରତରେ ସଂକ୍ରମଣ ବଢ଼େ ତେବେ ଭାରତର ଜନସଂଖ୍ୟା ଅନୁଯାୟୀ ଭାରତ ଦିନକୁ ୧୪ ଲକ୍ଷ ସଂକ୍ରମଣ ଦେଖିବ। ୮୦ ପ୍ରତିଶତ ଆଂଶିକ ଟିକାକରଣ ସତ୍ତ୍ବେ ୟୁରୋପ ଅତି ଗୁରୁତର ପର୍ଯ୍ୟାୟ ଦେଇ ଗତି କରୁଛି। ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନୂଆ ନିର୍ଦ୍ଦେଶାବଳି ଜାରି ହୋଇଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ୧୦ ହଜାର ତଳେ ରହିଛି। ଓମିକ୍ରନ୍ ପ୍ରଜାତି ପାଇଁ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି। ତେଣୁ ଆମକୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ। ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି।