ଆସୁଛି ନୂଆ ବିଲ୍: ଧର୍ମ ବଦଳାଇଲେ ବନ୍ଧାହେବେ!
ଯଦି କେହିବି ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବ, ତେବେ ସେମାନଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଓ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ପଡ଼ିବ।
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ସରକାର ଆଣୁଛନ୍ତି ନିୟମ। କାରଣ ଅନେକ ସ୍ଥାନରେ ଧର୍ମ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ଦଙ୍ଗା ଭଳି ସ୍ଥିତି ଦେଖିବାକୁ ମିଳିଥାଏ। ଆଉ କିଛି ସ୍ଥାନରେ ମହିଳାଙ୍କ ଧର୍ମ ବଦଳାଇ ବିବାହ କରାଯାଉଥିବାର ଖବର ଆପଣ ନିଶ୍ଚୟ ଶୁଣିଥିବେ। ଏବେ ଏସବୁରେ ଲଗାମ ଲଗାଇବାକୁ ଯାଉଛନ୍ତି କର୍ଣ୍ଣାଟକ ସରକାର। ଉତ୍ତରପ୍ରଦେଶ ସରକାରଙ୍କ ଢାଞ୍ଚାରେ ଧର୍ମାନ୍ତରୀକରଣ ବିରୋଧରେ ବିଲ ପାରିତ କରିବାକୁ ଯାଉଛନ୍ତି କର୍ଣ୍ଣାଟକ ସରକାର ।
ଆସିବାକୁ ଥିବା ବିଲରେ ଧର୍ମାନ୍ତିକରଣ ରୋକିବାକୁ କଡ଼ା ଆଇନ୍ ବ୍ୟବସ୍ଥା ରହିଛି। ଯଦି କେହିବି ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବ, ତେବେ ସେମାନଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଓ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ପଡ଼ିବ। କର୍ଣ୍ଣାଟକରେ କ୍ଷମତାରେ ଥିବା ବିଜେପି ସରକାର ଚଳିତ ବିଧାନସଭାର ଶୀତ ଅଧିବେଶନରେ ଏହି ବିଲକୁ ଗୃହରେ ଉପସ୍ଥାପନ କରିବ ବୋଲି ସୂଚନା ରହିଛି।
ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କୁ ମାସକ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଆଡିସନାଲ ମାଜିଷ୍ଟ୍ରେଟସ୍ତରର ଅଫିସରଙ୍କୁ ହିଁ ଏପରି ନୋଟିସ ଦିଆଯାଇ ପାରିବ। ନୋଟିସ ପାଇଥିବା ଅଧିକାରୀ ପୁଲିସ୍ ଦ୍ୱାରା ଏହାର ଯାଞ୍ଚ କରିବେ। ଏହାପରେ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇପାରିବ ବୋଲି ଡ୍ରାଫ୍ଟ ବିଲ୍ରେ ଉଲ୍ଲେଖ ରହିଛି।