୨୩ ବର୍ଷର ଲମ୍ବା କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଛେଦ

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଲେ ଦୁଇ ଦୁଇଟି ବିଶ୍ବକପ୍ ବିଜୟୀ ଦଳର ଷ୍ଟାର ସଦସ୍ୟ ହରଭଜନ ସିଂହ। ଟିମ୍ ଇଣ୍ଡିଆର ଅଫସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍୍ତି। ସେ ଏନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।
୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ହରଭଜନଙ୍କ ଯାଦୁରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ୨୦୦୦ ମସିହାରୁ ଭଜି ଟିମ୍ ଇଣ୍ଡିଆର ସବୁ ଫର୍ମାଟରେ ଜଣେ ସକ୍ରିୟ ସଦସ୍ୟ ଭାବେ ଖେଳି ଆସୁଥିଲେ। କିନ୍ତୁ ୧୯୯୮ ମାର୍ଚ୍ଚରେ ସେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିବା ଟିମ୍ରେ ହରଭଜନ ରହିଥିଲେ।
ଭଜି ଆଜି ଟ୍ବିଟ୍ କରି କହିଛନ୍ତି, “ସବୁ ଭଲ ଜିନିଷର ଶେଷ ରହିଛି। ମୋତେ ମୋ ଜୀବନରେ ସବୁ କିଛି ଦେଇଥିବା ଖେଳକୁ ଆଜି ମୁଁ ଅଲବିଦା କହୁଛି। ଏହି ୨୩ ବର୍ଷର ସୁନ୍ଦର ଯାତ୍ରା ମଧ୍ୟରେ ମୋତେ ସହଯୋଗ ଓ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କୁ କୃତଜ୍ଞତା।”
All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
My heartfelt thank you 🙏 Grateful .https://t.co/iD6WHU46MU— Harbhajan Turbanator (@harbhajan_singh) December 24, 2021
ସୂଚନାଯୋଗ୍ୟ, ୨୦୦୧ରେ ଭାରତ ଘରୋଇ ମାଟିରେ ଷ୍ଟିଭ ୱଙ୍କ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଏହି ସମୟରେ ଭଜିଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଏହି ଟେଷ୍ଟ ମ୍ୟାଚ୍ ତାଙ୍କ କ୍ରିକେଟ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା ଓ ସେ ଟିମ୍ ଇଣ୍ଡିଆର ଜଣେ ନିୟମିତ ସଦସ୍ୟ ହୋଇ ଯାଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜ୍ରେ ସେ ୩୨ଟି ୱିକେଟ ନେଇଥିଲେ। ଏହା ମଧ୍ୟରେ ଗୋଟିଏ ହ୍ୟାଟ୍ରିକ ବି ରହିଥିଲା। ଇଡେନ ଗାର୍ଡେନରେ ଖେଳ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଥିଲେ। ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ହାସଲ କରିବାର ରେକର୍ଡ କରିଥିଲେ।
ହରଭଜନ ୨୦୦୩ ଓ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ଖେଳି ଥିବା କିଛି ହାତ ଗଣତି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି। ଆଇପିଏଲରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ସେ ୨୦୦୮ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ତେବେ ଏହାପରେ ଚେନ୍ନାଇ ସୁପର କିଙ୍ଗସ ଓ ଏବେ କୋଲକାତା ନାଇଡ ରାଇଡର୍ସ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ଆଇପିଏଲରେ ସେ ୧୬୩ଟି ମ୍ୟାଚ୍ରେ ୧୫୦ଟି ୱିକେଟ ନେଇଛନ୍ତି।