ଦାନା ପାଇଁ ଦାଦନ ଗଲେ ନେତା
![](https://www.odishalink.com/wp-content/uploads/2021/12/Raju-Bag.jpg)
ଭୁବନେଶ୍ବର: ପେଟ ପାଇଁ ନାଟ। ଆଉ ଦାନା ପାଇଁ ଦାଦନ। ଆପଣ ଭାବୁଥିବେ ଆମେ ଏଭଳି କଥା କାହିଁକି ଆପଣଙ୍କୁ କହୁଛୁ। ହେଲେ ଏଭଳି କଥା କହିବା ପଛରେ ରହିଛି ବଡ଼ କଥା। କାରଣ ଦାଦନର ଆଉ ଏକ ଦାରୁଣ କାହାଣୀ ସାମ୍ନାକୁ ଆସିଛି।
ମହାମାରୀ କରୋନା କାଳରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ସଚେତନତା କରାଇଇବା ସହ ଦାଦନ ଫେରନ୍ତାଙ୍କ କଥା ବୁଝୁଥିବା ନେତା ଏବେ ଦାଦନ ମୁହାଁ। ଆମେ କହୁଛୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଉପାଧ୍ୟକ୍ଷ ରାଜୁ ବାଗଙ୍କ କଥା। ସେ ଏବେ ତାମିଲନାଡ଼ୁ ରାଜ୍ୟ କୋଇମ୍ବାଟୁରର ଏକ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ସୂଚନା ମିଳିଛି। ଏହି ଘଟଣା ପୁଣିଥରେ ମନ୍ରେଗା ଯୋଜନାର କାର୍ଯ୍ୟକାରିତାକୁ ସନ୍ଦେହ ଘେରକୁ ଟାଣି ଆଣିଛି।
କରୋନା କଟକଣା କୋହଳ ହେବା ପରେ ଏବେ ପୁଣିଥେ ଆରମ୍ଭ ହୋଇଛି ଦାଦାନ ଋତୁ। ଭିଟାମାଟି ଛାଡ଼ି ରୋଜଗାର ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି ଯୁବଗୋଷ୍ଠୀ। ଦେଓଗାଁ ବ୍ଲକ୍ର ଉପାଧ୍ୟକ୍ଷ ରାଜୁ ବାଗ୍ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି।
ଶ୍ରୀ ବାଗ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଲକ୍ କୁଲୁତପଡ଼ା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ଦେଓଗାଁ ବ୍ଲକ୍ର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ଜଣେ ଦୃଢ଼ ସମର୍ଥକ। ଶ୍ରୀ ମେହେରଙ୍କ ପତ୍ନୀ ରୀନା ମେହେର ବ୍ଲକ୍ ଅଧ୍ୟକ୍ଷ ହୋଇଥିବା ବେଳେ ଶ୍ରୀ ବାଗ ଉପାଧ୍ୟକ୍ଷ ଗାଦିରେ ବସିଥିଲେ। ଏବେ ପଞ୍ଚାୟତ ନିର୍ବାଚନ ପାଖରେ ଆସୁଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ବାଗ ରାଜ୍ୟ ବାହାରକୁ ଦାଦନ ଖଟିଯିବା ଚର୍ଚ୍ଚାର ବିଷୟ ହୋଇଛି।