କହ୍ନେୟା କୁମାରଙ୍କ ପାଇଁ ଛିଞ୍ଚାଗଲା ଗଙ୍ଗାପଣି, ୨ ବ୍ୟକ୍ତି କଲେ ଶୁଦ୍ଧିକରଣ
![](https://www.odishalink.com/wp-content/uploads/2021/12/kanheiya-kumar-nabarangpur-750x430.jpg)
ନବରଙ୍ଗପୁର: ସଜ ସଜ କଂଗ୍ରେସ ହାତ ଧରିଥିବା କହ୍ନେୟା କୁମାର ପୁଣି ଏବେ ଚର୍ଚ୍ଚାରେ। କହ୍ନେୟା କୁମାର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାକୁ ଆସିଥିଲେ। ଆଉ ସେ କାର୍ଯ୍ୟକ୍ରମ ସାରି ଯିବା ପରେ ସଭାସ୍ଥଳକୁ ଗଙ୍ଗାଜଳରେ ଶୁଦ୍ଧିକରଣ କରିଛନ୍ତି ନବରଙ୍ଗପୁରର ଦୁଇ ଜଣ ବ୍ୟକ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କହ୍ନେୟା କୁମାରଙ୍କୁ ବିରୋଧ କରି ଶୁଦ୍ଧିକରଣ କରିଥିବା ଥିବା ୨ ବ୍ୟକ୍ତି ହେଉଛନ୍ତି ଗୌରୀଶଙ୍କର ସାହୁ ଓ ମିହିର ରଞ୍ଜନ ମିଶ୍ର। ଗଣମାଧ୍ୟମକୁ ଗୌରୀଶଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମ ଦୁଇ ଜଣ କୌଣସି ଦଳରେ ନାହୁଁ। ଏପରିକି ଆମେ କୌଣସି ଦଳକୁ ସମର୍ଥନ କରୁନାହୁଁ। ଆମେ ନବରଙ୍ଗପୁର ସହରର ସଚେତନ ନାଗରିକ। କହ୍ନେୟା କୁମାର ଜେଏନୟୁର ଛାତ୍ର ଥିବାବେଳେ ଦେଶ ବିରୋଧୀ ନାରା ଦେଇଥିଲେ। ତାକୁ ଆମେ ବିରୋଧ କରୁଛୁ। ସେ ଆମ ନବରଙ୍ଗପୁର ଆସି ଆମ ମାଟିକୁ ଅପବିତ୍ର କରିଦେଇଛନ୍ତି। ଆମେ ଆମ ମାଟି ମା’କୁ ଶୁଦ୍ଧିକରଣ କରିଛୁ। ଏପରିକି କହ୍ନେୟା କୁମାର ଜଣେ ଦେଶଦ୍ରୋହୀ ବୋଲି କହିଛନ୍ତି ଗୌରୀଶଙ୍କର।
ଗୌରୀଶଙ୍କର ଓ ମିହିର ରଞ୍ଜନ ମିଶ୍ର ସଭାସ୍ଥଳରେ ଗଙ୍ଗାଜଳ ପକାଇ ଏହାର ଶୁଦ୍ଧିକରଣ କରୁଥିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ସୂଚନାଯୋଗ୍ୟ, ସୋମବାର ଦିନ ନବରଙ୍ଗପୁର ସହରର ହିର୍ଲି ସ୍ଥିତ ନୂତନ ମଣ୍ଡେଇ ପଡ଼ିଆରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର, ଜିଗନେସ ମେବାନୀ, ଛତିଶଗଡ଼ର ଅବକାରୀ ମନ୍ତ୍ରୀ ଲାଖମା କାଵାସୀ, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ।