ଜାନୁଆରୀ ୨୬ରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ
![](https://www.odishalink.com/wp-content/uploads/2021/01/petrol.jpg)
ରାଞ୍ଚି: ୭୩ ତମ ସାଧାରଣତନ୍ତ୍ର ଦିବସରୁ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର। ତାହାପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ପୁରାପୁରି ୨୫ ଟଙ୍କା ଶସ୍ତାରେ ମିଳିତ ପେଟ୍ରୋଲ ଓ ଡିଜେଲ ଦର। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ହେଲେ ତାହା ପାଇଁ ରହିଛି ସର୍ତ୍ତ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବୁଧବାର ଦିନ ବଡ଼ ଘୋଷଣା କରି କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ୍ କାର୍ଡଧାରୀଙ୍କୁ ଲିଟର ପିଛା ୨୫ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ଯୋଗଇ ଦିଆଯିବ। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଡିଲରମାନେ ମଧ୍ୟ ତୈଳ ଦର କମାଇବା ପାଇଁ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ। ପେଟ୍ରୋଲ ଉପରେ ୫ ପ୍ରତିଶତ ଭ୍ୟାଟ୍ କମାଇବା ପାଇଁ ଦାବିକରୁଥିଲେ ତୈଳ ଡିଲର । ସେମାନଙ୍କ କହିବା କଥା ଯେ, ଯଦି ରାଜ୍ୟ ସରକାର ଭ୍ୟାଟ୍ ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିବେ ତେବେ ଲୋକମାନଙ୍କୁ ଏହାର ଲାଭ ମିଳିବ।
ଆସୋସିଏସନ୍ ଅଧ୍ୟକ୍ଷ ଅଶୋକ ସିଂହ କହିଛନ୍ତି, ପେଟ୍ରୋଲ ଡିଲରମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ଝାଡଖଣ୍ଡରେ ମୋଟ ୧୩୫୦ଟି ପେଟ୍ରୋଲ ପମ୍ପ ଥିବାବେଳେ ପ୍ରାୟ ୨.୫୦ ଲକ୍ଷରୁ ଅଧିକ ପରିବାର ଜୀବିକା ନିର୍ବାହ ହେଉଛି। ଭ୍ୟାଟ୍ ଅଧିକ ହେବାକାରଣରୁ ବ୍ୟବସାୟ ଉପରେ ପ୍ରଭାବ ପଡୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥଇଲେ ତେଲ ଡିଲର।
ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ଭ୍ୟାଟ୍ ହ୍ରାସ କରିନାହାନ୍ତି ସତ କିନ୍ତୁ ବିପିଏଲ୍ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଆସନ୍ତା ୨୦୨୨ ବର୍ଷ ଜାନୁଆରୀ ୨୬ ତାରିଖରୁ ବିପିଏଲ୍ କାର୍ଡଧାରୀମାନେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ପେଟ୍ରୋଲ ଏବଂ ଡିଜେଲ ପାଇବେ।