ରାଜ୍ୟରେ ଖୋଲିଲା ୧୪ ସାଇବର ଥାନା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ସାଇବର ଅପରାଧକୁ କାବୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ପଦକ୍ଷେପ। ରାଜ୍ୟବାସୀଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଆଜି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି। ଭର୍ଚୁଆଲ୍ ମୋଡରେ ମୁଖ୍ୟମନ୍ତ୍ରୀ ଆଜି ସବୁ ଥାନାର ଉଦଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍ନୋଲୋଜି ଆଧାରିତ ଅପରାଧର ମୁକାବିଲା ପାଇଁ ଏବଂ ଓଡ଼ିଶାର ଲୋକଙ୍କୁ ଆଧୁନିକ ପୁଲିସିଂ ସିଷ୍ଟମ ସହିତ ତାଲିମପ୍ରାପ୍ତ ପୁଲିସ୍ ଫୋର୍ସ ଯୋଗାଇଦେବାକୁ ତାଙ୍କ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ଅପରାଧ ସାମ୍ରାଜ୍ୟରେ ସାଇବର ଅପରାଧ ଏକ ପ୍ରମୁଖ ଅପରାଧ ଭାବେ ଦୃତ ଗତିରେ ବୃଦ୍ଧି ପାଉଛି। ସବୁଠୁ ଚିନ୍ତା ଜନକ ବିଷୟ ହେଉଛି ଯେ ଅଜ୍ଞାତ ବ୍ୟକ୍ତି ହିଁ ଏହି ଅପରାଧ କରୁଛନ୍ତି ଏବଂ ସେ କେଉଁଠୁ ଏହା କରୁଛନ୍ତି ତାର ପ୍ରାଧିକରଣ ସୀମା ଦ୍ୱାରା ସୀମିତ ନୁହେଁ । ଯେହେତୁ ସୂଚନା ଉତ୍ସ ବିଦେଶୀ ଦେଶରେ ବିଦ୍ୟମାନ ସର୍ଭରରେ ସର୍ବଦା ଆଧାରିତ, ଅପରାଧୀଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ପ୍ରକୃତରେ ଚ୍ୟାଲେଞ୍ଜ ହୋଇଥାଏ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଥନୈତିକ ଅପରାଧ ଏକ ପ୍ରମୁଖ ଅପରାଧ ଭାବରେ ଉଭା ହୋଇଛି ଯାହା କେବଳ ବ୍ୟକ୍ତିଗତ ନାଗରିକଙ୍କୁ ପ୍ରଭାବିତ କରେ ନାହିଁ ବରଂ ଆମ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଗଭୀର ଆଘାତ ଦେଇଥାଏ। ଯାହାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଆଜି ୧୪ଟି ସାଇବର ଥାନା ଆରମ୍ଭ କରାଯାଇଛି। ଏହି ପୁଲିସ ଷ୍ଟେସନରେ ୧୫୪ ପୁଲିସ କର୍ମଚାରୀ ଓ ୯୦ ଜଣ ବିଶେଷଜ୍ଞ ନିୟୋଜିତ ହେବେ। ଏଥି ସହିତ ଥାନାଗୁଡିକୁ ଅର୍ଥନୈତିକ ଏବଂ ସାଇବର ଅପରାଧର ଅନୁସନ୍ଧାନ ପାଇଁ ଆବଶ୍ୟକୀୟ ସମସ୍ତ ଅତ୍ୟାଧୁନିକ ହାର୍ଡୱେୟାର ଏବଂ ସଫ୍ଟୱେୟାର ପ୍ରଦାନ କରାଯିବ। ଏହା ବ୍ୟତୀତ ଫାଇନାନସ ଓ ଆକାଉଣ୍ଟ ଆନାଲିସିଷ୍ଟ, ଆଇଟି ଏକ୍ସପର୍ଟ, ସାଇବର ଫରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞକୁ ଥାନାରେ ନିୟୋଜିତ କରାଯିବ ।
ନୂଆ ପୁଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।