ଆଜିଠୁ ନୂଆ କଟକଣା, କ’ଣ ଖୋଲା କ’ଣ ବନ୍ଦ ରହିବ ଜାଣନ୍ତୁ
ଭୁବନେଶ୍ବର: ୭ ମାସ ପରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାରରି ମଧ୍ୟରେ ଆଜିଠୁ ରାଜ୍ୟରେ ଲାଗୁହେବ ନୂଆ କୋଭିଡ ଗାଇଡଲାଇନ୍। ଆଜି ରାତି ୯ଟାରୁ ରାଜ୍ୟର ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ଏଥିସହିତ ୫୦ ପ୍ରତିଶତ କ୍ଷମତାରେ ହୋଟେଲ , ବାର ଖୋଲିବ। ହେଲେ ଏକା ସମୟରେ ୫ଜଣରୁ ଅଧିକ ଗ୍ରାହକ ରହି ପାରିବେ ନାହିଁ।
ଏଥିସହିତ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ। ମଲ୍ ଓ ବଜାରରେ ଭିଡ଼ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ। ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏ ଦୋକାନ ବନ୍ଦ କରାଯିବ।
ସେହିପରି ପର୍ଯ୍ୟଟନ ସ୍ଥାନ ଓ ପାର୍କରେ ପିକନିକ୍ ହୋଇପାରିବନି। ସେହିପରି ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିବ। ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିବେ। ସର୍ବାଧିକ ୫୦ଲୋକଙ୍କୁ ନେଇ ଇଣ୍ଡୋର ଓ ଆଉଟଡୋର ଫିଲ୍ମ ସୁଟିଂ ହେବ। ବାହାଘର ଓ ବ୍ରତଘରରେ ୧୦୦ ଜଣ ଏବଂ ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ରହିଛି।
କେବଳ ସେତିକି ନୁହେଁ ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ତେବେ ଅନୁସଚିବ ପାହ୍ୟାରୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୈନିକ ଅଫିସ ଆସିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ବିଭାଗୀୟ ମୁଖ୍ୟ ଦପ୍ତରର କର୍ତ୍ତୃପକ୍ଷ ଦୈନିକ କେଉଁ କର୍ମଚାରୀ ଅଫିସ ଆସିବେ ତାହା ସ୍ଥିର କରିବେ।