ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଓଏଲ୍ ବ୍ୟୁରୋ: ବଢ଼ିଲା ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ। ଆଉ ୬ ମାସ ବଢ଼ିଲା ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ।ଫେବୃଆରୀ ମାସ ୨୮ ତାରିଖରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏହାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିବା କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ମହୋର ମାରିଛି କେନ୍ଦ୍ର।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଲେଖାଯାଇଥିବା ଚିଠି ଅନୁସାରେ, ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ତାଙ୍କ ଅବସର ପରେ ଆଉ ୬ମାସ ବୃଦ୍ଧି ନିମନ୍ତେ ଓଡ଼ିଶା ସରକାର ୨୦୨୧ ଡିସେମ୍ବର ୩୧ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ।
ଓଡ଼ିଶା ସରକାରଙ୍କ ଅନୁରୋଧକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଅନୁମୋଦନ କରିବା ସହ ଶ୍ରୀ ମହାପାତ୍ରଙ୍କୁ ୨୦୨୨ ଫେବୃୟାରୀ ୨୮ ପରେ ଆଉ ୬ମାସ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୧ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଶ୍ରୀ ମହାପାତ୍ର। ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀ ମହାପାତ୍ର କାର୍ଯ୍ୟକାଳ ବୃଦ୍ଧି କରାଇଛନ୍ତି ବୋଲି ପାଓ୍ବର କରିଡରରେ ମଧ୍ୟ ଚର୍ଚ୍ଚା ହେଉଛି।