Odisha Link
Bridging the Missing Links in Odisha

ପଞ୍ଚାନନ ଦାଶଙ୍କ ସ୍ମୃତିପୁସ୍ତକ “ଜୀବନ ଯେମିତି” ଉନ୍ମୋଚିତ

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ନିର୍ବାଚନ ଆୟୁକ୍ତ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ଯ ପ୍ରସାଦ ପାଢ଼ୀ ଲେଖକଙ୍କ ସହ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା ବଖାଣିବା ସହ ରାଜ୍ୟରେ ଏମ୍ଏସ୍ଏମଇ ବିକାଶ ଦିଗରେ ପଞ୍ଚାନନ ଦାଶଙ୍କ ଉଦ୍ୟମର ପ୍ରଶଂସା କରିଥିଲେ।

ଭୁବନେଶ୍ବର: ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ “ଜୀବନ ଯେମିତି” ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଉନ୍ମୋଚିତ ହୋଇଯାଇଛି।

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ନିର୍ବାଚନ ଆୟୁକ୍ତ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ଯ ପ୍ରସାଦ ପାଢ଼ୀ ଲେଖକଙ୍କ ସହ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା ବଖାଣିବା ସହ ରାଜ୍ୟରେ ଏମ୍ଏସ୍ଏମଇ ବିକାଶ ଦିଗରେ ପଞ୍ଚାନନ ଦାଶଙ୍କ ଉଦ୍ୟମର ପ୍ରଶଂସା କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ “ଜୀବନ ଯେମିତି” ଭଳି ଅଧିକରୁ ଅଧିକ ପୁସ୍ତକ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଅଭିଜ୍ଞ ଓ ସଫଳ ବ୍ୟକ୍ତିମାନଙ୍କ ଜୀବନ ଗାଥା ପରପିଢ଼ି ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ କହିଥିଲେ।

ଲେଖକୀୟ ବକ୍ତବ୍ଯରେ ଶ୍ରୀ ଦାଶ ନିଜର ଦୀର୍ଘ ଦିନର ଚାକିରି ଅଭିଜ୍ଞତା ବଖାଣିବା ସହ ଅବସର ପରେ ରାଜ୍ୟରେ ଏମଏସଏମଇ ବିକାଶ ଦିଗରେ ତାଙ୍କ ଅନୁଷ୍ଠାନର ଭୂମିକା ବାବଦରେ ମତ ରଖିଥିଲେ।

କଥାଶିଳ୍ପୀ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓରିକ୍ଳିନ୍ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାଲଚନ୍ଦ୍ର ମହାନ୍ତି ଓ ଭାରତୀୟ ଉଦ୍ୟୋଗୀ ଓ ଆର୍ଥିକ ଉପଭୋକ୍ତା ସଂଘ (ଇଫକାଇ)ର କାର୍ଯ୍ୟକାରୀ ସଭାପତି ହରେନ୍ଦ୍ର ନାରାୟଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସ୍ଥିତି ଏବଂ ଲେଖକ ଶ୍ରୀ ଦାଶଙ୍କର ଏ ଦିଗରେ କାର୍ଯ୍ୟ ବାବଦରେ ବକ୍ତବ୍ଯ ରଖିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନ ଡେବ୍ଟ ରିକଭରୀ ଟ୍ରାଇବୁନାଲର ରେଜିଷ୍ଟ୍ରାର ସରୋଜ ରଥ। ଉତ୍ସବରେ ବହୁ ସଂଖ୍ୟାରେ ଉଦ୍ୟୋଗପତି, ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

୨୦୧୮ରେ ପ୍ରଥମେ ପେନ୍ ଇନ୍ ବୁକ୍ସ ପକ୍ଷରୁ ଇଂରାଜୀରେ ପ୍ରକାଶିତ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ “ଫ୍ରମ୍ ଗୋଟହର୍ଡ ଟୁ ଗଭର୍ନାନସ୍”ର ଓଡ଼ିଆ ଅନୁବାଦ ହେଉଛି “ଜୀବନ ଯେମିତି”। ଏଥିରେ ଶ୍ରୀ ଦାଶ ନିଜ ଜୀବନର ବହୁ ତିକ୍ତମଧୁର ସ୍ମୃତି ବଖାଣିବା ସହ ଏମଏସଏମଇ ବିକାଶ ଦିଗରେ ନିଜର କାର୍ଯ୍ୟ, ସ୍ୱପ୍ନ ଓ ସମ୍ଭାବନା ବାବଦରେ ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.