ଶହେତମ ଟେଷ୍ଟରେ କ୍ଲିନ୍ ବୋଲ୍ଡ ବିରାଟ, ନିରାଶ ପ୍ରଶଂସକ

ଓଏଲ୍ ବ୍ୟୁରୋ: ନୂଆ ମାଇଲ ଖୁଣ୍ଟ ଛୁଇଁଲେ ରନ୍ ମେସିନ୍ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ନିଜର ୧୦୦ ତମ ଟେଷ୍ଟ ଖେଳିଛନ୍ତି ବିରାଟ କୋହଲି। ହେଲେ ଦର୍ଶକଙ୍କୁ ନିରାଶ ହେବାକୂ ପଡ଼ିଛି। କାରଣ ନିଜର ଶହେତମ ଟେଷ୍ଟରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ବିରାଟ। ନିଜର ଶହେତମ ଟେଷ୍ଟ୍ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ହାଫ୍ ସେଞ୍ଚୁରୀ ଲଗାଇବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ସେ ୭୬ ବଲରୁ ୪୫ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୪ ଓ୍ୱିକେଟ ହରାଇ ୧୯୯ ରନ୍ କରିଛି। କ୍ରିଜରେ ଋଷଭ ପନ୍ତ ଓ ଶ୍ରେୟସ୍ ଆୟର ବ୍ୟାଟିଂ କରୁଛନ୍ତି। ହନୁମା ବିହାରୀ ୫୮ ରନ୍ କରି ପ୍ୟାଭିଲିଅନ୍ ଫେରିଛନ୍ତି। ବର୍ତ୍ତମାନ ଋଷଭ ୧୨ ଓ ଶ୍ରେୟସ୍ ୧୪ ରନ୍ କରି କ୍ରିଜ୍ରେ ଅଛନ୍ତି।
ସୂଚନାଯୋଗ୍ୟ, ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ। ତେବେ ରୋହିତ ପ୍ରଥମେ ୨୯ ରନ୍ କରି ଆଉଟ ହୋଇଥିଲେ। ସେହିପରି ମୟଙ୍କ ୪୯ ବଲରୁ ୩୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା, ବିଶ୍ବ ଫର୍ଣ୍ଣାଡୋ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଓ ଏମ୍ବୁଲଡେନିଆ ୨ ଲେଖାଏଁ ଓ୍ୱିକେଟ୍ ହାସଲ କରିଛନ୍ତି।
ନିଜର ଶହେ ତମ ଟେଷ୍ଟ୍ ମୁକାବିଲା ଖେଳୁଥିବା ବିରାଟଙ୍କ ଉପରେ ସମସ୍ତଙ୍କର ଫୋକସ ରହିଥିଲା। ସେ ୭୧ତମ ଶତକ ପୂରଣ କରିବେ ବୋଲି ପ୍ରଶଂସକ ଆଶା କରୁଥିଲେ। ବିରାଟ ମଧ୍ୟ ପ୍ରଶଂସକଙ୍କ ଖୁସି କରିବା ଭଳି ପାଳି ଖେଳିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରଥମ ଇନିଂସରେ ସେ ଅର୍ଦ୍ଧଶତକରୁ ଅଳ୍ପକେ ବର୍ତ୍ତିଛନ୍ତି। ତେବେ ବିରାଟଙ୍କ ପାଖେ ଆଉ ଏକ ସୁଯୋଗ ଅଛି। କାରଣ ଦ୍ବିତୀୟ ଇନିଂସ୍ରେ ଯଦି ବିରାଟ ଶତକୀୟ ଇନିଂସ୍ ଖେଳନ୍ତି ତାବେ ସ୍ମରଣୀୟ ହୋଇ ରହିବ।