ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା: ପ୍ରଶ୍ନ ପଡ଼ିବ କେମିତି? ସୂଚନା ଦେଲା ବୋର୍ଡ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମେ’୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ପରିଷଦ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ବୋର୍ଡ ପରୀକ୍ଷା ନେଇ ବିସ୍ତୃତ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।
ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଭାପତି ଓ ଉପସଭାପତି ଉପସ୍ଥିତ ରହି ବୋର୍ଡ ସମ୍ପର୍କିତ ପରୀକ୍ଷା ପାଇଁ ଦେଇଛନ୍ତି ବଡ଼ ସୂଚନା। ବୋର୍ଡ ପକ୍ଷରୁ କୁହାଯାଇଇଛି ଯେ, ପରୀକ୍ଷା ୨ ଘଣ୍ଟା ହେବ। ଦଶମ ଭୋକେସନାଲ୍ ଟ୍ରେଡ୍ ଓ ଟିଏଲ୍ଭି ଛଡ଼ା ଅନ୍ୟ ସମସ୍ତ ପରୀକ୍ଷା ଗୁଡ଼ିକ ୮୦ ମାର୍କ ବିଶିଷ୍ଟ ହେବ। କିନ୍ତୁ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ଅର୍ଥାତ୍ ଅନ୍ୟ ପରୀକ୍ଷା ୨ ଘଣ୍ଟା ହେଲେ ଗଣିତ ପରୀକ୍ଷା ପାଇଁ ପିଲାଏ ୨ ଘଣ୍ଟା ୧୫ ମିନିଟ୍ ପାଇବେ ଛାତ୍ରଛାତ୍ରୀ।
ଚଳିତଥର ପରୀକ୍ଷା ପାଇଁ ମୋଟ ୪ଟି ପ୍ରଶ୍ନପତ୍ର କରାଯାଇଛି। ୮୦ ମାର୍କର ପରୀକ୍ଷାରୁ ୫୦ ମାର୍କ ଅବ୍ଜେକ୍ଟିଭ୍ ପ୍ରଶ୍ନ(ମଲ୍ଟିପୁଲ୍ ଚଏସ୍) ଓ ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ଅବ୍ଜେକ୍ଟିଭ୍ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ଓଏମ୍ଆର୍ ଆନ୍ସର୍ ସିଟ୍ରେ ଦେବେ। ୩୦ ନମ୍ୱରର ସବ୍ଜେକ୍ଟିଭ୍ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ଜେନେରାଲ୍ ସାଇନ୍ସ (ଜିଏସ୍ସି) ଓ ସାମାଜିକ ବିଜ୍ଞାନ(ଏସ୍ଏସ୍ସି)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷା ପାଇଁ ୪ଟି ପ୍ରଶ୍ନ ରହିବ। କିନ୍ତୁ ଅନ୍ୟ ବିଷୟ ଯେପରି କି, ଓଡ଼ିଆ, ଇଂଲିଶ, ଗଣିତ ଓ ତୃତୀୟ ଭାଷା(ସଂସ୍କୃତ ଏବଂ ହିନ୍ଦୀ)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷାରେ ୩ଟି ପ୍ରଶ୍ନ ରହିବ।
ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଜେନେରାଲ୍ ସାଇନ୍ସ ଓ ସୋସିଆଲ୍ ସାଇନ୍ସ ପାଇଁ ଅଲଗା ଅଲଗା ପ୍ରଶ୍ନ ହେବ ବୋଲି ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।