ତୈଳ ଦରରେ ଲାଗୁନି ଅଙ୍କୁଶ, ହାଇଡ୍ରୋଜେନ କାରରେ ଆସିଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଗତ କିଛି ଦିନ ହେବ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି ଜନତା। ଏସବୁ ମଧ୍ୟରେ ଆଜି ସଂସଦରେ ଗ୍ରୀନ୍ ହାଇଡ୍ରୋଜନ ପାଓ୍ବାର କାର୍ ଧରି ପହଁଞ୍ଚିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ।
ଭାରତରେ ପ୍ରଥମ ଥର ପାଇଁ ହାଇଡ୍ରୋଜନ୍ କାରର ବ୍ୟବହାର ହୋଇଥିବାର ଦେଖିବାକୁ ମିଳିଛି। ଏହାପୂର୍ବରୁ କେହି ବି ଏମିତି କାର୍ ଭାରତରେ ବ୍ୟବହାର କରିନଥିଲେ। ପରିବହନ ମନ୍ତ୍ରୀ ଆଜି ପରୀକ୍ଷା ମୂଳକ ଭାବେ ନିଜ ବାସଭବନରୁ ହାଇଡ୍ରୋଜେନ କାର୍ ଚଳାଇ ସଂସଦକୁ ଆସିଛନ୍ତି। ପୂର୍ବରୁ ସେ ପୁନଃ ନବୀକରଣ ଯୋଗ୍ୟ ଓ ସବୁଜ ଶକ୍ତିର ବ୍ୟବହାର କରିବାକୁ କହି ଆସୁଥିଲେ। ଏହି ଦୃଷ୍ଟିରୁ ସେ ଗ୍ରୀନ ହାଇଡ୍ରୋଜେନ କାର ଧରି ସଂସଦ ଆସିଛନ୍ତି।
ସୂଚନାଯୋଗ୍ୟ, ହି ହାଇଡ୍ରୋଜେନ ଭିତ୍ତିକ ଫ୍ୟୁଏଲ ସେଲ ଇଲେକଟ୍ରିକ ଭେଇକିଲ(ଏଫସିଇଭି) ଟ୍ୟାଙ୍କି ଫୁଲ ଥିଲେ ୬୦୦ କିମି ଯାତ୍ରା କରିପାରିବ। ଏଥିରେ ଯାତ୍ରା କଲେ କିମି ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଟ୍ୟାଙ୍କି ଫୁଲ କରିବାକୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ତେଣୁ ଏଥିରେ ଯିବା ଆସିବା କଲେ ପରିବେଶ ପ୍ରଦୂଷଣରୁ ରକ୍ଷା ମିଳିବ। ଏଥିସହ କମ ଖର୍ଚ୍ଚରେ ଅଧିକ ଯାତ୍ରା ମଧ୍ୟ କରିହେବ।