ଉତ୍କଳ ଦିବସରେ ଗାଁଠୁ ସହର ସବୁଠି ‘ବନ୍ଦେ ଉତ୍କଳ ଜନନୀ’ ସମୂହ ଗାନ
ଓଏଲ୍ ବ୍ୟୁରୋ: ରାତି ପାହିଲେ ରାଜ୍ୟ ପାଳନ କରିବ ଉତ୍କଳ ଦିବସ ଅର୍ଥାତ୍ ପ୍ରତିଷ୍ଠା ଦିବସ। ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପାଇଁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସନ୍ଧ୍ୟା ୬ଟାରେ ସମୂହ ଗାନ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଯୋଗ ଦେବେ। ସେଠାରେ ସନ୍ଧ୍ୟା ୬ଟାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ।
ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ମଧ୍ୟ ପ୍ରସାର କରାଯିବ। ପ୍ରତି ଜିଲ୍ଲାରେ ଏହି ସଭାସମିତି ଆୟୋଜନ ହେବ। ଜିଲ୍ଲା ପରିଷଦ ସଭାପତିମାନେ ଏହି ଆୟୋଜନର ଦାୟିତ୍ୱ ନେବେ। ସନ୍ଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ।