ପରଲୋକରେ ସେୟାର ମାର୍କେଟର ବିଗ୍ବୁଲ୍

ଓଏଲ୍ ବ୍ୟୁରୋ: ପରଲୋକରେ ସେୟାର ମାର୍କେଟର ବିଗ୍ବୁଲ୍ ଭାବେ ପରିଚିତ ରାକେଶ ଝୁନଝୁନୱାଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ୬୨ ବର୍ଷ ବୟସରେ ସେୟାର ମାର୍କେଟ କିଙ୍ଗ୍ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାକଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।
ନିକଟରେ ରାକେଶ କିଛି ଦିନ ପୂର୍ବରୁ ହିଁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ । ନୂଆ ଏୟାରଲାଇନ୍ସ କମ୍ପାନି ଆକାଶା ଏୟାରରେ ମୋଟା ଅଙ୍କର ଟଙ୍କା ଇନ୍ଭେଷ୍ଟ କରିଥିଲେ ସେ। ୭ ଅଗଷ୍ଟରୁ ହିଁ ଏହା ଚାଲୁ ହୋଇଥିଲା। ସବୁଠାରୁ ମଜା କଥା ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ରାକେଶ ମାତ୍ର ୫ ହଜାର ଟଙ୍କାରୁ ନିଜ କାରବାର ଆରମ୍ଭ କରିଥିଲେ। ଶେଆର ବଜାରରେ ମାତ୍ର ୫ ହଜାର ଟଙ୍କା ଲଗାଇ ସେ ଆଜି ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି।
ବିଗ୍ବୁଲଙ୍କ କାହାଣୀ:
୧୯୬୦ ଜୁଲାଇ ୫ରେ ଜନ୍ମଗ୍ରହଣ କରିଥିଲେ ରାକେଶ ଝୁନ୍ଝୁନ୍ଓ୍ବାଲ। ରାକେଶଙ୍କ ବାପା ଆୟକର ବିଭାଗର ଜଣେ ଅଧିକାରୀ ଥିଲେ। ବାପାଙ୍କ ଠାରୁ ପ୍ରଭାବିତ ହୋଇ ଝୁନଝୁନୱାଲା ସେୟାର ବଜାରରେ ଟଙ୍କା ଲଗାଇବାକୁ ସ୍ଥିର କରିଥିଲେ। ଯେହେତୁ ରାକେଶ ଚାଟାର୍ଡ ଆକାଉଣ୍ଟାଟ ଥିଲେ ତେଣୁ ସେୟାର ବଜାରରେ ନିବେଶ କରିବାକୁ ବେଶି କସରତ କରିବାକୁ ପଡିନଥିଲା। କିନ୍ତୁ ସେୟାର ବଜାରରେ ଟଙ୍କା ନିବେଶ ପାଇଁ ରାକେଶଙ୍କୁ ଟଙ୍କା ଦେଇନଥିଲେ ବାପା। ଆଉ କହିଥିଲେ ସେୟାର ବଜାରରେ ନିବେଶ କରିବାର ଅଛି ତ ନିଜେ ଟଙ୍କା ରୋଜଗାର କର ଏବଂ ଏହାକୁ ସେୟାର ବଜାରରେ ଲଗାଅ।
ପରେ ୧୯୮୫ ମସିହାରେ ପ୍ରଥମଥର ପାଇଁ ସେୟାର ବଜାରରେ ଏଣ୍ଟ୍ରି କଲେ ଝୁନ୍ଝୁନ୍ଓ୍ବାଲା। ପ୍ରଥମଥର ମାତ୍ର ୫ ହଜାର ଟଙ୍କା ନିବେଶ କରିଥିଲେ ଆଉ ତାଙ୍କୁ ସେଥିରୁ ମିଳିଥିଲା ଲାଭ। ପରେ ଟାଟା ସେୟାର କିଣି ୩ ମାସରେ ଭଲ ଦି ପଇସା ରୋଜଗାର କଲେ। ଆଉ ଏହା ପରଠାରୁ ପଛକୁ ଫେରି ଚାହିଁନଥିଲେ ରାକେଶ। ୧୯୮୬ରୁ ୧୯୮୯ ମଧ୍ୟରେ ରାକେଶ ପ୍ରାୟ ୨.୫ କୋଟି ଟଙ୍କାର ଲାଭ ପାଇଥିଲେ। ଆଉ ଏହା ପରେ ସେୟାର ବଜାରରେ ରାକେଶଙ୍କ ଯାତ୍ରା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ମାତ୍ର ୫ ହଜାର ଟଙ୍କାରୁ ସେୟାର ବଜାରରେ ନିବେଶ ଆରମ୍ଭ କରିଥିବା ରାକେଶ ପରବର୍ତ୍ତୀ ସମୟରେ ଦେଶର ସବୁଠୁ ସଫଳ ସେୟାର ବଜାର ନିବେଶକ ପାଲଟିଥିଲେ। ଏବେ ରାକେଶଙ୍କର ୪୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। କେବଳ ସେୟାର ବଜାର ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ନିବେଶ କରିଛନ୍ତି ଝୁନଝୁନୱାଲା। ଯିଏ ଅନେକ ଭାରତୀୟ ଯୁବକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।