ମୃତ ମହିଳାଙ୍କୁ କର୍ମକର୍ତା ଭାବେ ମନୋନୀତ କଲା ବିଜେଡି
ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ହେଲେ ମୃତ ମହିଳା। ୨ ବର୍ଷ ପୂର୍ବେ ବ୍ରହ୍ମପୁରର ମିନାକ୍ଷୀ ମିଶ୍ରଙ୍କ ଦେହାନ୍ତ ହୋଇ ସାରିଛି।
![](https://www.odishalink.com/wp-content/uploads/2022/09/IMG-20220901-WA0000-750x430.jpg)
ଓଏଲ୍ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଅଣ୍ଟାଭିଡିଛି ବିଜୁ ଜନତା ଦଳ। ପ୍ରଥମେ ବିଜୁ ଯୁବ ଓ ଛାତ୍ର ସଙ୍ଗଠନର ନବକଳେବର ହୋଇଥିବା ବେଳେ ଏବେ ବିଜୁ ମହିଳା ଦଳର ନବକଳେବର ହୋଇଛି। ବୁଧବାର ଦିନ ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ନାମ ଘୋଷଣା ହୋଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣାବ ପ୍ରକାଶ ଦାସ ନାମ ଗୁଡ଼ିକ ଘୋଷଣା କରିଛନ୍ତି। ହେଲେ ବୁଧବାର ରାତିରେ ଘୋଷଣା ହୋଇଥିବା ତାଲିକାରେ ଜଣେ ମୃତ ମହିଳାଙ୍କ ନାମ ମଧ୍ୟ ରହିଛି। ଯାହାକୁ ନେଇ ହରଡ଼ଘଣାରେ ବିଜୁ ଜନତା ଦଳ।
ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ହେଲେ ମୃତ ମହିଳା। ୨ ବର୍ଷ ପୂର୍ବେ ବ୍ରହ୍ମପୁରର ମିନାକ୍ଷୀ ମିଶ୍ରଙ୍କ ଦେହାନ୍ତ ହୋଇ ସାରିଛି। ହେଲେ ବିଜେଡି ପକ୍ଷରୁ ଜାରି ହୋଇଥିବା ନୂଆ ତାଲିକାରେ ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ବୁଧବାର ଦିନ ବିଜେଡି ପକ୍ଷରୁ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଭାବେ ୬୮ ଜଣଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ମିନାକ୍ଷୀ ମିଶ୍ରଙ୍କ ନାମ ରହିଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ମିନାକ୍ଷୀ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ। ପରେ ଫେବୃୟାରୀ ୨୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମିନାକ୍ଷୀ ଥିଲେ ବିଜୁ ମହିଳା ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା।
୨୦୨୦ରେ ତାଙ୍କ ପୁଅଙ୍କୁ ଏକ ଅପରାଧିକ ମାମଲାରେ ବ୍ରହ୍ମପୁର ପୋଲିସ ଗିରଫ କରିଥିଲା। ମିଥ୍ୟା ମାମଲାାରେ ତାଙ୍କ ପୁଅକୁ ଗିରଫ କରାଯାଇଥିବା ଅଭିଯୋଗ ଆଣି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ମୃତ୍ୟୁକୁ ପ୍ରାୟ ୨ ବର୍ଷ ବିତିସାରିଲାଣି। ଏପରିକି ଏହା ଭିତରେ ଥରେ କାର୍ଯ୍ଯକାରିଣୀ କମିଟି ପରିବର୍ତ୍ତନ ମଧ୍ଯ ହୋଇଛି। ସେଥିରେ ମିନାକ୍ଷୀଙ୍କ ନାମ ନଥିଲା। ଏବେ ଦୁଇ ବର୍ଷ ପରେ ହଠାତ୍ ତାଙ୍କ ନାମ ରହିଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି।