ହଜାରେ ପୃଷ୍ଠାର “ମହାତ୍ମା ଗାନ୍ଧୀଙ୍କ ଜୀବନୀ” ଉନ୍ମୋଚନ
ପ୍ରକୃତ ଗାନ୍ଧୀଙ୍କୁ ଚିହ୍ନିବା ପାଇଁ ଏ ବହି ପଢ଼ିବା ଜରୁରୀ: ଦାଶ ବେନହୁର

ଭୁବନେଶ୍ବର: ବିଶ୍ୱରେ ସର୍ବାଧିକ ଆଦୃତ ଗାନ୍ଧୀ ଜୀବନୀ ଗ୍ରନ୍ଥ ଉନ୍ମୋଚିତ ହେଇଯାଇଛି। ଲୁଇ ଫିଶରଙ୍କ ଦ୍ବାରା ରଚିତ ଓ ଚିନ୍ତାମଣି ମିଶ୍ରଙ୍କ ଦ୍ବାରା ଅନୂଦିତ ପ୍ରାୟ ଏକ ହଜାର ପୃଷ୍ଠାର ମହାତ୍ମା ଗାନ୍ଧୀଙ୍କ ଜୀବନୀ’ ପୁସ୍ତକ ପ୍ରଥମ ଓ ଦ୍ବିତୀୟ ଭାଗ ଆଜି କଳିଙ୍ଗ ପୁସ୍ତକ ମେଳା ଷ୍ଟଲ ନମ୍ବର ୨ ପରିସରରେ ଲୋକାର୍ପିତ ହୋଇଯାଇଛି।
ପେନ୍ ଇନ୍ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ଉନ୍ମୋଚନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଲେ, ଗାନ୍ଧୀଙ୍କ ଜୀବନୀକୁ ଭଲ ଭାବେ ଅନୁସରଣ କଲା ପରେ ଯାଇ ଲୁଇ ଫିଶର ଏହି ବହି ଲେଖି ପାରିଥିଲେ। ତାଙ୍କ ଜୀବନର ପ୍ରତିଟି ଘଟଣା ଏହି ବହିରେ ସ୍ଥାନ ପାଇଛି। ପୁସ୍ତକରେ ଲେଖାଥିବା ଜୀବନୀ ତାଙ୍କର ଅସଲ ବ୍ୟକ୍ତିତ୍ବ ଥିବାବେଳେ ବର୍ତ୍ତମାନ ଗାନ୍ଧୀଙ୍କୁ ଏକ ରାଜନୈତିକ ଚରିତ୍ର ଭାବେ ଚିତ୍ରଣ କରାଯାଉଛି। ବର୍ତ୍ତମାନର ଯୁବପିଢ଼ି ଗାନ୍ଧୀଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ ଏ ବହିକୁ ନିଶ୍ଚିତ ପଢ଼ିବା ଦରକାର। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ଆମେ ଗଦ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଦରିଦ୍ର ହେବା ଆରମ୍ଭ ହୋଇଯାଇଛି। ତେଣୁ ଯୁବପିଢ଼ି ଗାନ୍ଧୀ ବିଷୟରେ ପଢ଼ି ଏକ ଭଲ ଗଦ୍ୟ ପଢ଼ିବାର ସୁଯୋଗ ପାଆନ୍ତୁ। କାରଣ ଗାନ୍ଧୀଙ୍କ ଜୀବନ ସାରା ବିଶ୍ବକୁ ମାର୍ଗ ଦେଖାଇଛି। ଗାନ୍ଧୀଙ୍କ ତେଜରେ କେବଳ ଭାରତ ନୁହେଁ ସାରା ବିଶ୍ବ ଆଲୋକିତ ହୋଇଛି। ତେଣୁ ଗାନ୍ଧୀ ସୂର୍ଯ୍ୟ, ତାଙ୍କୁ ସମ୍ମାନ କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ କହିଲେ, ଗାନ୍ଧୀ କେବଳ ଭାରତର ନୁହନ୍ତି, ସେ ସାରା ବିଶ୍ବର ମଣିଷ। ସେଥିପାଇଁ ଦେଶବିଦେଶରୁ ବିଭିନ୍ନ ଲୋକ କେବଳ ତାଙ୍କୁ ଦେଖିବା ପାଇଁ ଆସୁଥିଲେ। ଏହାସହ ସେ ରାଜନେତା ନୁହନ୍ତି। ରାଜନୀତି କ୍ଷେତ୍ରରେ ସେ ଏକ ବ୍ୟତିକ୍ରମ। କାରଣ ଏତେ ବର୍ଷ ଧରି ଶାସନ ସହ ଜଡ଼ିତ ହୋଇ ମଧ୍ୟ ସେ କିମ୍ବା ତାଙ୍କ ପରିବାର କୌଣସି ସରକାରୀ ପଦ ପଦବୀରେ ଅବସ୍ଥାପିତ ହୋଇନାହାନ୍ତି। ସେ କେବଳ ଦେଶର ସ୍ବାର୍ଥ୍ୟରକ୍ଷା ତଥା ଉନ୍ନତି ପାଇଁ ଲଢ଼େଇ ଜାରି ରଖିଥିଲେ। ପୁସ୍ତକର ପ୍ରକାଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଗିରୀଶ ରଂଜନ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ଗାନ୍ଧୀପ୍ରେମୀ ଉପସ୍ଥିତ ଥିଲେ।