ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ମିଳିଲା ଲାଡ୍ଲି ମିଡିଆ ସମ୍ମାନ

ଓଏଲ୍ ବ୍ୟୁରୋ: ଓଡ଼ିଶାର ବରିଷ୍ଠ ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ୨୦୨୧ ବର୍ଷ ପାଇଁ ଲାଡଲୀ ମିଡିଆ ସମ୍ମାନରେ ସମ୍ମାନୀତ କରାଯାଇଛି। ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ତରଫରୁ ପ୍ରତିବର୍ଷ ଗଣମାଧ୍ୟମ ଏବଂ ବିଜ୍ଞାପନ କ୍ଷେତ୍ରରେ ସାମାଜିକ ଲିଙ୍ଗଗତ ସମାନତା ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନେ ଏହି ସମ୍ମାନଜନକ ସମ୍ମାନ ମିଳିଥାଏ। ଏହି ପୁରସ୍କାର ବାବଦରେ ଶ୍ରୀଯୁକ୍ତ ରଥଙ୍କୁ ଏକ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
ନଭେମ୍ବର ଦୁଇ ତାରିଖ ଦିନ ହାଇଦ୍ରାବାଦର ମୌଲାନା ଅବୁଲ ଜାତୀୟ ଉର୍ଦ୍ଦୁ ଜାତୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ୧୯ ଜାନୁୟାରୀ ୨୦୨୧ରେ ନିତିଦିନରେ ପ୍ରକାଶିତ ତାଙ୍କର ସମ୍ପାଦକୀୟ ଅଗ୍ରଲେଖ ଋତୁସ୍ରାବ ଅଭିଶାପ ନୁହେଁ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୌଲାନା ଆବୁଲ ଜାତୀୟ ଉର୍ଦ୍ଧୁ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସୟଦ ଆଇନୁଲ ହାସନ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଡେପୁଟୀ କଂଟ୍ରୀ ରିପ୍ରେଜେଂଟଟେଟିଭ୍ ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ।
ଚଳିତବର୍ଷ ନିଜ ସ୍ଥାପନାର ୧୨ ତମ ବର୍ଷ ପାଳନ କରୁଥିବା ଏହି ପୁରସ୍କାର ପାଇଁ ୧୩ ଟି ଭାଷାରେ ୯୯୫ ଟି ଆବେଦନ ଗ୍ରହଣ ହୋଇଥିବା ବେଳେ ୭୬ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ୩୬ ଜଣଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି।
ଶ୍ରୀଯୁକ୍ତ ରଥଙ୍କ ବ୍ୟତୀତ ଓଡିଶାରୁ ଅନ୍ୟ ଚାରିଜଣ ମହିଳା ସାମ୍ବାଦିକଙ୍କୁ ମଧ୍ୟ ଏହି ପୁରସ୍କାର ମିଳିଛି। ଅର୍ଗସର ପ୍ରତିନିଧି ଶତରୂପା ସାମନ୍ତରାୟ, ନକ୍ଷତ୍ର ଟିଭିର ଉପସ୍ଥାପିକା ସୁପ୍ରିୟା ଦାଶ, ମୁକ୍ତବୃତ୍ତ ସାମ୍ବାଦିକା ପ୍ରତିଭା ଘୋଷ ଏବଂ ଏଲିସା ପଟ୍ଟନାୟକଙ୍କୁ ମଧ୍ୟ ଏହି ପୁରସ୍କାର ମିଳିଛି। ଏଠାରେ ସୂଚନା ଦିଆଯାଇପାରେ କି ଶ୍ରୀଯୁକ୍ତ ରୁଦ୍ରପ୍ରସନ୍ନ ରଥ ବିଭିନ୍ନ ଆର୍ନ୍ତଜାତୀୟ ଅନୁଷ୍ଠାନ ସହ ପରାମର୍ଶଦାତାଭାବେ ଜତିତ ଥିବାବେଳେ ଓଡିଶାର ବିଭିନ୍ନ ସମ୍ବାଦପତ୍ର ଏବଂ ୱେବ ସାଇଟ୍ ରେ ଜଣେ ସ୍ତମ୍ଭକାରଭାବେ ଲେଖା ଲେଖିବା ଜାରୀ ରଖିଛନ୍ତି।