୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

ଓଏଲ୍ ବ୍ୟୁରୋ : ସାଧାରଣତଃ ଧର୍ମକୁ ନେଇ ଅନେକ ପ୍ରକାର ଅପପ୍ରଚାର, ନିନ୍ଦା, ହିଂସା, ହତ୍ୟାକାଣ୍ଡ ଓ ରାଜନୀତି ଦେଖିବାକୁ ମିଳିଥାଏ। କେତେ ନିରୀହ ନିଷ୍ପାପ ମଧ୍ୟ ଏଥିରେ ବଳି ପଡିଥାନ୍ତି। ହେଲେ ଜୟପୁରରୁ ସାମ୍ନାକୁ ଆସିଛି ବନ୍ଧୁତାର ସୁନ୍ଦର ଚିତ୍ର।
ଗୋଟିଏ ଘରେ ଆଲ୍ଲା ଓ ଇଶ୍ଵର। ଭାଇଚାରାର ସୁନ୍ଦର ବାର୍ତ୍ତା ଦେଉଛି ଦୁଇବନ୍ଧୁ ରାକେଶ ଓ ସହିଦ୍ ଫିରୋଜଙ୍କ ବନ୍ଧୁତା। ଆଗରୁ ଆମେ ଅନେକ ପ୍ରକାରର ଉଦାହରଣ ବନ୍ଧୁତା କୁ ନେଇକି ଦେଖିଛେ କିନ୍ତୁ ଏଠି ନିଆଁରା ବନ୍ଧୁତା ଦେଖିବାକୁ ମିଳୁଛି। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ଜୟପୁରର ରାକେଶ ଓ ସହିଦ୍ ଫିରୋଜ। ଜୟପୁର ପାରାବେଡ଼ା ଅଞ୍ଚଳର ରାକେଶ ଜଣେ ନୈଷ୍ଟିକ ବ୍ରାହ୍ମଣ ହୋଇଥିବା ବେଳେ ଫିରୋଜ ମୁସଲିମ୍ ଅଟନ୍ତି।
ଅନେକ ଲୋକ ଧର୍ମକୁ ନେଇ ଦଙ୍ଗା କରିଥିବା ବେଳେ ଏ ଦୁହିଁ ବନ୍ଧୁ ହିନ୍ଦୁ ଓ ମୁସଲମାନ ଗୋଟେ ଛାତ ତଳେ ରହୁଥିବାର ଦେଖିବାକୁ ମିଳିଛି।ଯେଉଁଠି ନିଜର ଲୋକେ ଏକାଠି ରହିବାର ଦେଖିବାକୁ ମିଳେନି , ୨ ଭାଇଙ୍କ ମଧ୍ୟରେ କଳହ ତାଙ୍କୁ ସବୁଦିନ ପାଇଁ ଅଲଗା କରିଦିଏ ସେଠାରେ ଏହି ଦୁଇ ବନ୍ଧୁଙ୍କ ବନ୍ଧୁତା ପ୍ରେରଣା ଦେଇଛି।
ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଦୁଇ ବନ୍ଧୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବା ବେଳେ ଏକାଠି ବସ ବାସ କରନ୍ତି । ଦୁହେଁ ପରସ୍ପରର ଧର୍ମକୁ ସମ୍ମାନ ଦେବା ସହ ଠାକୁର ମଧ୍ୟ ପୂଜା କରନ୍ତି ।ଜଣେ ମା’ ଦୁର୍ଗାକୁ ପୂଜା କରୁଥିବା ବେଳେ ଆଉ ଜଣେ ଆଲ୍ଲାକୁ ପୂଜା କରନ୍ତି । ରାକେଶ ଙ୍କ ଅନୁପସ୍ଥିତ ରେ ଫିରୋଜ ଓ ଫିରୋଜ ଙ୍କ ଅନୁପସ୍ଥିତ ରେ ରାକେଶ ପୂଜା କରନ୍ତି।
ଏମାନଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା ୨୦୧୬ ମସିହାରେ। ଫିରୋଜଙ୍କ ର ଏକ ଛୋଟିଆ ଦୋକାନ ଥିଲା । ରାକେଶ ସେଠାକୁ ସାମଗ୍ରୀ କିଣିବାକୁ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ଏବଂ ଦୁହେଁ ମିଶି ଏକ ବ୍ୟବସାୟ କରିବାକୁ ସ୍ଥିର କରିଥିଲେ। ପରେ ଏହି ବନ୍ଧୁତା ଏତେ ନିବିଡ ହୋଇଥିଲା ସେମାନଙ୍କୁ ବଡ ବ୍ୟବସାୟ ଆଡ଼କୁ ଟାଣି ଆଣିଛି।
ଉଭୟ ୫ ବର୍ଷ ହେଲା ହାର୍ଡୱେୟାର ବ୍ୟବସାୟ କରିଆସୁଛନ୍ତି। ଦୁହେଁ ସେମାନଙ୍କର ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସଫଳ ହୋଇଛନ୍ତି। ଖାଲି ବ୍ୟବସାୟ ରେ ନୁହେଁ ବରଂ ଜାତି , ଧର୍ମ , ବର୍ଣ ନିର୍ବିଶେଷ ରେ ବନ୍ଧୁତା ଏକ ଶ୍ରେଷ୍ଠ ପରିଚୟ ବୋଲି ପ୍ରମାଣ କରିଦେଇଛନ୍ତି। ଉଭୟ ଉଭୟ ଙ୍କ ଦୁଃଖରେ ସୁଖରେ ସାଥି ହୋଇ ସାମ୍ନା କରୁଛନ୍ତି।