ବିଶ୍ବରେ ଚାଲିଛି ଛଟେଇ ଋତୁ

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଚାଲିଛି ଛଟେଇ ଋତୁ। ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ କରୁଛନ୍ତି ଛଟେଇ। ଟ୍ବିଟର୍ ଓ ମେଟା ପରେ ଏବେ ଅନ୍ଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି ଇ-କମର୍ସ କମ୍ପାନୀ। ପାଖାପାଖି ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଆମାଜନ୍ କମ୍ପାନୀ ଚଳିତ ମାସରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ବ୍ୟବସାୟରେ ମାନ୍ଦାବସ୍ଥା ଜାରି ରହିଥିବାରୁ ରାଜସ୍ବ ମଧ୍ୟ ହ୍ରାସ ପାଇଛି। ତେଣୁ କଷ୍ଟ କଟିଂ ନେଇ କମ୍ପାନୀ କର୍ମଚାରୀଙ୍କୁ ବାହାର କରୁଥିବା କୁହାଯାଇଛି। ଏହା ଆମାଜନ ଇତିହାସରେ ସବୁଠାରୁ ବଡ଼ ଘଟଣା ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
କିଛି ମାସ ପୂର୍ବରୁ ଆମାଜନ ନିଜ କର୍ମଚାରୀଙ୍କୁ ଅନ୍ୟ ସ୍ଥାନରେ ଚାକିରି ଖୋଜିବାକୁ ପୂର୍ବରୁ ଚେତାବନୀ ଦେଇଥିଲା। କମ୍ପାନୀ ବିଶ୍ୱ ସ୍ତରରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି।